ଜୀବନ ଦୀପାଳି ଆମେ ଦେବା ଜାଳି
ତେଜ ପ୍ରକାଶିବା ଜଗତ ସାରା,
ଅଜ୍ଞାନ ଅନ୍ଧାର କରି ଦେବା ଦୂର
ଜ୍ଞାନ ଆଲୋକରେ ହସିବ ଧରା।
ସୁବର୍ଣ୍ଣର ଝଳି ପ୍ରକାଶଇ ଜଳି
ଅଶୁଦ୍ଧ ମିଶ୍ରଣ ହୁଅଇ ନାଶ,
ବିଶୁଦ୍ଧ ସୁବର୍ଣ୍ଣ ହୁଏ ତେଜିୟାନ
ବିଶ୍ୱ ଜନ ମନ କରଇ ତୋଷ,
ଜୀବନେଯେ ଜଳେ ବେଳୁବେଳଝଳେ
ସାର୍ଥକ ପଣରେ ବିକଶେ ପରା,
ଜୀବନ ଦୀପାଳି ଆମେ ଦେବା ଜାଳି
ତେଜ ପ୍ରକାଶିବା ଜଗତ ସାରା।
ସତ୍ୟ ଅନୁସରି ଶୁଦ୍ଧ କର୍ମ କରି
ସାଧୁ ବ୍ୟବହାରେ ସବୁରି ମେଳେ,
ବିଶ୍ୱ ହିତ ବ୍ରତ କରି ଅବିରତ
ଜ୍ୟୋତି ଶକତିରେ ଜୀବନଝଳେ।
ଈର୍ଷା ଆକ୍ରୋଶର ଘନ ଅନ୍ଧକାର
ମଧ୍ୟେ ନ ବୁଡ଼ିବା ଆଲୋକ ଲୋଡ଼ି,
ସେନେହ ସରାଗେ ପ୍ରେମ ଅନୁରାଗେ
ବଢ଼ିବା ବଇରି ଭାବନା ଛାଡ଼ି,
ଜୀବନର ଭାବ ଶାଶ୍ୱତ ସ୍ୱଭାବ
ପ୍ରଦୀପର ଦିବ୍ୟ ଆଲୋକେ ଭରା,
ଅଜ୍ଞାନ ଅନ୍ଧାର କରିଦେବା ଦୂର
ଜ୍ଞାନ ଆଲୋକରେ ହସିବ ଧରା।
ଜଳାଇବା ଦୀପ ଜୀବନ ପ୍ରଦୀପ
ଶୁଦ୍ଧ କର୍ମ ଘୃତେ ଉଠିବ ଜଳି,
ଆଲୋକରେ ପରା ଉଲ୍ଲସିବ ଧରା
ଶାଶ୍ୱତ ପ୍ରେମର ଦେଖାଇ ଝଳି।
ସୀମଞ୍ଚଳ ପଣ୍ଡା
ଶିକ୍ଷକ,ଡେଙ୍ଗାଡି, ଗଞ୍ଜାମ
Readers Interaction