ହେ ଈଶ୍ୱର
କାହାକୁ ଗଢିଛ କେଉଁ ପ୍ରକାର
କେହି ନୁହେଁ କାହାର ।
ହେ ଠାକୁର
ତୁମେ ପରା ସର୍ବଚରାଚର
ତୁମ ଅନନ୍ତ ଅପାର ।
ହେ ପରମେଶ୍ୱର
ତୁମେ ମୋ ବନ୍ଧୁ ସଖା ସହୋଦର
ତୁମେ ସତ୍ୟ ସୁନ୍ଦର ।
ହେ ଦୟାଳୁ ଠାକୁର
ଅଢେଇ ଦିନ ରହଣି ମୋହର
ଚାଲୁଛି ମୁଁ ତୁମ ଇଛାର ।
ହେ କରୁଣାକର
ଗଢିଛ ଏ ଭଵ ପାରାବାର
ଦେଇଛ ମିଛ ମାୟା ସଂସାର ।
ହେ ନଟ ନାଗର
ତୁମେ ହିଁ ପଥପ୍ରଦର୍ଶକ ମୋହର
ମୁଁ ବନ୍ଧା ତୁମ କରୁଣାର ।
ହେ ଜଗତ ଈଶ୍ୱର
ତୁମେ ସାହା ମୋର ଚଲାପଥର
ତୁମ ଦାନ ମୋ ଆହାର ।
ହେ କାଳିଆ ଠାକୁର
ଭକ୍ତ ହୋଇ ସେବୁଥିବି ଚରଣ ତୁମର
ମନୋବାଞ୍ଛା ପୂର୍ଣ୍ଣ କର ମୋର ।
ହେ ଇଚ୍ଛାମୟ ଚକ୍ରଧର
ଜ୍ଞାତ ଅଜ୍ଞାତେ ଥିବ ଯଦି ଭୁଲ ମୋହର
ବନ୍ଧୁ ଭାବି କ୍ଷମା କରିବ ଠାକୁର ।
ହେ କୃଷ୍ଣ ଦାମୋଦର
ତୁମେ ହିଁ ସର୍ବସ୍ୱ ପ୍ରାଣ ମୋହର
ତୁମେ ପ୍ରଭୁ ଦୟାଳୁ ଠାକୁର ।
ହେ କ୍ଷେତ୍ର ଅଧିଶ୍ବର
ତୁମେ ସୁଖ ଦୁଃଖ ସଖା ମୋହର
ଏ ଭଵ ପାରାବାରୁ ଉଦ୍ଧାର କର ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।
Readers Interaction