ନିଃଶଧ ନିଦାନ – ବେଣୁଧର ସୂତାର

Views: 19
0 0
Read Time:3 Minute, 28 Second

ଆକୁଳପ୍ରାଣରେ ବ୍ୟାକୁଳତା ଭରି
ଯାହାକୁ ଖୋଜଇ ମୁହିଁ
ଭଗ୍ନ ଆଶାନେଇ ଠିକଣା ଖୋଜଇ
ଠିକଣା ମିଳିବ କାହିଁ
ଭରସା ସାଗର କୂଳେ
ଅପେକ୍ଷା ବେଦିରେ ତୃଷ୍ଣା ଅଧୀରେ
ମରୁ ମରୀଚିକା ଜାଳେ ।।

କବିତାରଛନ୍ଦେ ଯାହାକୁ ଖୋଜେମୁଁ
ନୀଳ ଶୂନ୍ୟତାର କୋଳେ
ବ୍ୟସ୍ତବିଳାପର ଅସ୍ତ ଗୋଧୂଳି ମୁଁ
ଏମାଟି ପଣତ ତଳେ
ଯନ୍ତ୍ରଣା ମଦିରା ପିଏ
ଅଭାବରେ ଭାବ ଚିତ୍ର ଆଙ୍କୁଥିବା
ମୁଁ ବିରହୀ କବିଟିଏ ।।

ସୂର୍ଯ୍ୟ ଶିଖାରେ ଜହ୍ନ ଜୋଛନାରେ
ଖୋଜେମୁଁ ତୁମର ଛବି
ସାଗରଢେଉରେ ଭସାମେଘଧାରେ
ପାରୁନାହିଁ ଅନୁଭବି
ପ୍ରତୀକ୍ଷାର ଉପବନେ
ମାଗୋ ଅପରୂପା
ସୌଭାଗ୍ୟ ସ୍ବରୂପା
ଆସ ହୃଦ ସିଂହାସନେ ।।

କୋଟି କଳ୍ପନାର ଅନ୍ତଃସ୍ବର ତୁମେ
ଭାବ ଭୁବନର ମାୟା
ବଳିଷ୍ଠ ପ୍ରଜ୍ଞାର ଭବ୍ୟ ସମାହାର
ଜ୍ଞାନରତ୍ନ ପୁଣ୍ୟତୋୟା
ବିରହୀ ମନର କ୍ଷୁଧା
ତୃଷିତ ଅଧରେ ଆଶିଷ ଆଧାରେ
ଢାଳିଦିଅ ସୁର ସୁଧା ।।

ଭାଷା ଭାରତୀଗୋ ଅନୁଗ୍ରହେ ତୁମ
ଚଞ୍ଚଳ ଲେଖନୀ ଧାର
ନିଃଶବ୍ଦ ନିନାଦେ ଭାବ ଗଦ୍ ଗଦେ
ପୁଲକିତ ସୃଷ୍ଟି ସୁର
ଶୁଭାଶିଷ ଝରି ଆସୁ
ତୁମ ଅନୁକଂପା ବିନା ଏ ଲେଖନୀ
ନିଷ୍ପ୍ରଭ ପୁନର୍ବସୂ ।।

ଇପ୍ସିତ ପ୍ରାଣର ଆଶା ଶତଦଳ
ଫୁଟିଉଠେ ହୃଦ ସ୍ଥଳେ
ଆହତ ମନର ପରିସୀମା ଛୁଇଁ
ଖୁସିର ଲହରି ଖେଳେ
ଜ୍ଞାନର ସାଗର କୂଳେ
ଭାବରେ ଫୁଟିବ ଭାଷା କମଳିନୀ
ମାଆ ଆଶୀର୍ବାଦ ବଳେ ।।

ବେଣୁଧର ସୂତାର
କେଶଦୁରାପାଳ। କେନ୍ଦୁଝର

Share this :
Next Post

ଜଣାଣ - ପିତାମ୍ବର ମାଝୀ

  ବୟସ ମୋହର ଗଡ଼ି ଗଡ଼ି ଯାଏ ଦେହୁଁ ବଳ ଯାଏ କମି ଭବ ସାଗରରୁ ଉଦ୍ଧାର କରିବ ଆହେ ଜଗନ୍ନାଥ ସ୍ୱାମୀ l ଯାଇ ପାରୁ ନାହିଁ ବଡ଼ ଦେଉଳକୁ ତୁମରି ଦର୍ଶନ ପାଇଁ ତୁମ ଭାବ ଡ଼ୋରୀ କେବେ ଲଗେଇବ କହ ହେ କଳା ଗୋସେଇଁ l ଆଖିକୁ ମୋହର ଦିଶୁ ନାହିଁ କିଛି ତୁମେ ହିଁ ସାହାରା ମୋର ତୁମ ଛଡ଼ା ଆଉ ଏଇ ଦୁନିଆରେ […]

Subscribe US Now