ଈଶ୍ବର ରଚିଲେ ଏ ସୁନ୍ଦର ଧରା
ପ୍ରକୃତି ତାଙ୍କର ଦାନ
ପ୍ରକୃତି ଆମର ଜୀବନର ଗାଥା
ଆମ ପାଇଁ ବରଦାନ।
ତା’ପାଣି ପବନ ଆମର ଜୀବନ
ଫଳ ପୁଷ୍ପ ଶସ୍ଯ ପ୍ରାଣ
ତାହାର ସୁରକ୍ଷା ଆମର କର୍ତ୍ତବ୍ଯ
ତା’ବିନା ଆମେ ନିଷ୍ପ୍ରାଣ।
ଅରଣ୍ଯ ବନାନୀ ପର୍ବତ ନିର୍ଝର
ଶୋଭା ସତେ ଭରପୁର
ବିହଙ୍ଗ କାକଳୀ ସୁମନ ବର୍ଣ୍ଣାଳୀ
ସତେ ବା ସରଗ ପୁର।
ପୁଷ୍ପର ଶୋଭନ ସୁରଭି ନର୍ତ୍ତନ
ବିବିଧ ବର୍ଣ୍ଣର ପକ୍ଷୀ
ଲାଳିତ୍ୟ ମଧୁରେ ଗାଆନ୍ତି ସଂଗୀତ
ଆଖି ରହିଯାଏ ଲାଖି।
ନୀଳ ଆକାଶର ନୀଳ ମାଧୁରିମା
ମନ ଛୁଇଁ ଛୁଇଁ ଯାଏ
ତପନ ଚନ୍ଦ୍ରମା ତାରାଗଣ ମଧ୍ଯେ
ନଭ ସୁଶୋଭିତ ହୁଏ।
ନୀଳ ସାଗରର ନୀଳିମା ମାଧୁରୀ
ସଦା ମନ ମୋହୁଥାଏ
ତାର ଅପରୂପ ମଧୁମୟ ସ୍ବର
ଲହରୀ କି ଗାଇ ଯାଏ।
କେବେ ସେ ସବୁଜ କେବେ ସ୍ବର୍ଣ୍ଣମୟୀ
ସୁନ୍ଦରତାର ଆଧାର
ପ୍ରକୃତିର ଆରାଧନା କରିବାରେ
ପ୍ରାଣ କି ହୁଏ ଅଧିର।
ପ୍ରକୃତି ଆମର ସଦା ଅଟେ ମିତ୍ର
ହିତରେ ଥାଏ ସର୍ବଦା
ତାର ସୁରକ୍ଷାରେ ତାର ବନ୍ଦନାରେ
ମନ ନିବେଶିବା ସଦା।
ଡ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।
Readers Interaction