ନିରବଧି ବହି ଚାଲେ ନଦୀ ସମ ଅଙ୍କା ବଙ୍କା ପଥ ଦେଇ,
ନିରନ୍ତର ବାଣ୍ଟି ଚାଲେ ମମତା ପୀୟୂଷ ନିଜେ ଦୁଃଖ ସହି।
ଜନନୀ ଜାୟା ଭଗିନୀ ରୂପ ପରକାଶୀ ଏହି ଧରଣୀରେ
କେତେ ଆଶା କେତେ ସ୍ୱପ୍ନ କରିଛି ପୂରଣ ସଂସାର ଦାୟରେ।
ବିଶ୍ୱାସ ଭରସା ରଖି କେତେ ଆଶା ତୋଳେ ସୁନାର ସଂସାର
ନିନ୍ଦା ଅପମାନ କଷ୍ଟ ତା ଭୂଷଣ ଦିଅଇ ଖୁସି ଅପାର ।
ସ୍ୱାଧୀନ ହୋଇ ବି ସ୍ୱାଧୀନତା ନାହିଁ କେବେ ଜୀବନେ ତାହାର
ଦୁଃଖ ଯନ୍ତ୍ରଣାର ଗରଳ ପିଅଇ ହୋଇ ନୀଳକଣ୍ଠେଶ୍ୱର।
ବୀର ପ୍ରସବିନୀ କରୁଣା ଦାୟିନୀ ଗୀତା ଠୁ ଅତି ପବିତ୍ର
ସୃଷ୍ଟି କରେ ଜାତି ପ୍ରାଣେ ଦେଇ ପ୍ରୀତି ବାହି ଆଶାର ବୋଇତ ।
ପୁଷ୍ପ ଠୁ କୋମଳ ପବିତ୍ର ନିର୍ମଳ ଜନନୀ ସେ ସର୍ବସହାଁ
ଶତ ପ୍ରତାରଣା ତା ହୃଦେ ଗହଣା ଜଗଧାତ୍ରୀ ମହମାୟା।
ନାରୀ ନାରାୟଣୀ ଜଗତ କଲ୍ୟାଣି ମାଆ ଶକତି ରୂପିଣୀ
ଯୁଗେ ଯୁଗେ ପାପୀ କରଇ ବିନାଶ ସାଜି ମହିଂସା ମର୍ଦ୍ଦିନୀ।
ଡ଼ ଅଲେଖ ପ୍ରସାଦ ମହାରଣା
ଯାଜପୁର।
Readers Interaction