ସ୍କୁଲ ପାଠର ସେ ବୋଝ ଭରା ଘଡି,
ବହି ପୁସ୍ତକ ସବୁକୁ ଥରେ ଆଡେଇ ଦେଇ,
ଦୁଆର ଖୋଲି ଟିକେ ଖୋଲା ଆକାଶ ତଳେ,
ଫୁଲ ଆଉ ପ୍ରଜାପତି ଭିତରେ ଦୁଇଘଡ଼ି,
ବିତେଇବାର ଇଛାଟି ସତ ହେଇ ଯାଆନ୍ତା ,
ନଅଟାରୁ ଛଅଟା ଭିତରେ କେବେ,
ଟିକେ ଫୁରସତ ମିଳି ଥିଲେ !
କଲେଜ ଗଛର କୃଷ୍ଣଚୂଡ଼ା ତଳେ,
ସେହି ବହି ଭିତରେ ଥିବା ଚିଠିଟିକୁ ଖୋଲି,
ତାହାକୁ ମନ କଥାଟିକୁ ପଢି ଶୁଣେଇବାର ଆଶା,
ଦୁଃସ୍ଵପ୍ନ ଭଳି ଶୁଖି ନଥାଆନ୍ତା ବୈଶାଖରେ,
ନଅଟାରୁ ଛଅଟା ଭିତରେ କେବେ,
ଟିକେ ଫୁରସତ ମିଳି ଥିଲେ !
ଶ୍ରାବଣର ଧାରାରେ ଭିଜି ମଷଗୁଲ ହୋଇ ,
କାଗଜଟିକୁ ନିଜର ଦୂତ କରି,
ନିଜର ମନକୁ ନିଜର କଥା କହିବା ପ୍ରଥାଟି,
ହଜି ନଥାଆନ୍ତା ରୋଷେଇ ଘର ତେଲ ଲୁଣ ଭିତରେ,
ନଅଟାରୁ ଛଅଟା ଭିତରେ କେବେ,
ଟିକେ ଫୁରସତ ମିଳି ଥିଲେ !
ସେମିତି ତ ଅନେକ ଇନ୍ଦ୍ରଧନୁ,
ଚାହିଁ ବସିଥିଲେ କୁନି କୁନି ପାଦର ସ୍ପର୍ଶକୁ,
ହାତ ଧରି ଖାଲି ଛୋଟ ପୌତ୍ରୀଟି ର,
ଚାଲିବାକୁ ଥିଲା ଦୁଇଘଡ଼ି ଘାସ ଗାଲିଚାରେ,
ନିଜର ରୋଜଗାରର ସୀମାକୁ ନ ବଢ଼େଇ,
ନଅଟାରୁ ଛଅଟା ଭିତରେ କେବେ,
ଟିକେ ଫୁରସତ କରି ଥିଲେ !
ଆସନ୍ନ ତୁଷାରପାତର ରାତିରେ,
ସବୁ ପ୍ରକାର ସମ୍ପର୍କରୁ ମୁକ୍ତ କରି,
ନିର୍ଜନ ପ୍ରହରର ଏକାକୀପଣ ପୁଣି,
କବାଟରେ ତାହାର ପ୍ରହାର କରିନଥାନ୍ତା,
ବିତିଥିବା ବୟସର ପଶ୍ଚାତାପର ସମ୍ଭାର ସହିତ,
ନଅଟାରୁ ଛଅଟା ଭିତରେ କେବେ,
ଟିକେ ଫୁରସତ ବାହାର କରି ପାରି ଥିଲେ !
ରଞ୍ଜିତ କୁ. ସାହୁ
ଯୁକ୍ତରାଷ୍ଟ୍ର ଆମେରିକା
Readers Interaction