ଦେଶ ହିତେ କାହୁଁ ସେ କରିବା ଚିନ୍ତା
ସ୍ବାର୍ଥ ପଛେ ଅନ୍ଧ ସର୍ବେ
ଦିଅଁ ଖାଇ ଚଳୁ କଲେଣି ଖଟୁଲି
ବସିଭୂତ ହୋଇ ଲୋଭେ !!
ପ୍ରକୃତି ସମ୍ପଦେ ଭରା ଦେଶ ମୋର
ତଥାପି ଗରିବ ଏହି
ଖଣି ପାଣି ବିକି ବିଦେଶେ ସଞ୍ଚନ୍ତି
ଧର୍ମେ ଆଖି ଠାର ଦେଇ !!
ବୋପା ଧନ ଭାବି ରାଜସ୍ବ ପାଣ୍ଠିକୁ
ଖୋଳ କରୁଛନ୍ତି ନେତା
କହିବା ଲୋକର ତଣ୍ଟି କାଟି ଦିଏ
ଆମ ଏ ନ୍ୟାୟ ବ୍ୟବସ୍ଥା !!
ନାରୀଙ୍କୁ ସମ୍ମାନ ମିଳୁ ନାହିଁ ଆଜି
ଶିଶୁଙ୍କୁ ମିଳୁନି ଶିକ୍ଷା
ସ୍ବାସ୍ଥ୍ୟସେବା ନାମେ ବଣିଜ ଚାଲିଛି
କିଏ ବା କରିବ ରକ୍ଷା !!
ପେଟ ପାଇଁ ଦାନା ଯୋଗାଉଛି ଯିଏ
ଖରା ବର୍ଷା ଶୀତ ସହି
ତାର ଦୁଃଖ କଥା ବୁଝନ୍ତିନି କେହି
ମରେ ସିଏ ବିଷ ପିଇ !!
ଗରିବ ଗରିବ କହି ଜନତାଙ୍କ
ବିକୃତ କଲେଣି ଚିନ୍ତା
ଜନତାଙ୍କୁ ଲୁଟି ବୋଲନ୍ତି ସେ ସାଧୁ
କେତେ ମନ୍ତ୍ରୀ କେତେ ନେତା !!
କେତେ ଦିନ ଆଉ ଏମିତି ଚାଲିବ
ଉଠ ହେ ଓଡ଼ିଆ ଜାତି
ଭ୍ରଷ୍ଟାଚାର ମେରୁ ହାଡ଼ ଭାଙ୍ଗି ଦେବା
ଆଣି ଆଉ ଏକ କ୍ରାନ୍ତି !!
ଚନ୍ଦ୍ରକାନ୍ତ ଜେନା
ବଡମ୍ବା,କଟକ
Readers Interaction