ତମେ ଯେବେ ମତେ କହିବ ପ୍ରେୟସୀ
ଗଢ଼ିଦେବି ପ୍ରୀତି ତାଜ
ଫଗୁଣର ମତୁଆଲା ପବନରେ
ପ୍ରେମରେ କରିବ ରାଜ ।1।
ସାଗର ବେଳାରେ ଝାଉଁ ବଣ ଧାରେ
ଗୋଧୂଳି ବେଳାରେ ବୁଲି
ମନର ଭାବକୁ ଚାହାଣୀରେ କହି
ହସିଦେଵ ଖିଲିଖିଲି ।2।
ସଞ୍ଜନଇଁଗଲେ ହାତ ଛାଡ଼ିଦେଇ
ଚାଲିଯିବ ମନ ଦେଇ
ରାତିର ଶେଯରେ ତମ କଥାଭାବି
ଝରକାରେ ଥିବି ଚାହିଁ ।3।
ମୋକାବ୍ୟ ନାୟିକା ରୂପସୀ ପ୍ରେମିକା
କବିତା ଛନ୍ଦରେ ଆସି
ମନର ଭାବକୁ କାବ୍ୟ ରୂପଦେଵ
ପାଖକୁ ଆଉଜି ବସି ।4।
ବୈଶାଖ ତାତିରେ ତମେ କୃଷ୍ଣଚୂଡ଼ା
ଶ୍ରାବଣେ ଶ୍ରାବଣୀ ମୋର
ପ୍ରୀତି ବରଷାରେ ମନ ଭିଜେଇବ
ହୃଦୟେ ତୋଳିବ ଘର ।5।
ତମେ ପାଖେଥିଲେ କିଛି ଲୋଡାନାହିଁ
ସତେକି ସରଗ ପରୀ
ପୀରତି ପଥରେ ସାଥେ ଅନୁରାଗେ
ଚାଲୁଥିବ ହାତ ଧରି ।6।
କବିପ୍ରାଣେ ତମେ ସ୍ୱର୍ଗ ପାରିଜାତ
ପ୍ରୀତି ମନ୍ଦାକିନୀ ଧାରା
ଜନ୍ମ ଜନ୍ମାନ୍ତରେ ପ୍ରେୟସୀ ମାନସୀ
ଦେଉଥିବ ମତେ ଧରା ।7।
ସୁରେନ୍ଦ୍ର କୁମାର ବେହେରା ।
ଜିତିପୁର ,ହରିପୁର ହାଟ ,ଯାଜପୁର ।
Readers Interaction