ଦଶ ମାସ ଦଶ ଦିନ ଗର୍ଭେ ଧରି
ଜନ୍ମଦେଲା ଅନ୍ତ ଚିରି,
ବକ୍ଷର ଅମୃତ ଝରାଇ ହରଷେ
ଖୁଆଇଲା ପେଟ ଭରି l
ଅଳି ଅରଦଳି ସବୁ ସହି ଯାଇ
ପାଳେ ସ୍ନେହ ଶ୍ରଦ୍ଧା ଦେଇ ,
ପିଲାଙ୍କ ଖୁସିରେ ଖୁସି ହୋଇ ସିଏ
ଜୀବନ ଦିଏ ବିତାଇ l
ନିର୍ଝରିଣୀ ତୋୟ ସମ ତା ପରଶ
ଅନୁଷ୍ଣ ତାହାର ମନ,
ସନ୍ତାନ ନିମନ୍ତେ ଆଜୀବନ ମାଆ
ଉତ୍ସର୍ଗ କରେ ଜୀବନ l
ନିଜେ ନଖାଇ ସେ ପିଲାଙ୍କୁ ଖୁଆଇ
ସହିଯାଏ ଭୋକଶୋଷ,
ସବୁ ଦୁଃଖକଷ୍ଟ ଅମୀୟ ତା ଲାଗି
ମୁଖେ ରଖିଥାଏ ହସ l
ମାଆର ପଣତ ଶ୍ରୀମନ୍ଦିର ନେତ
ଅତ୍ୟୟ ପାରେନି ଛୁଇଁ,
ତାହାର ମମତା ସେନେହ ସାଇତା
ବର୍ଣ୍ଣି କି ପାରିବି ମୁହିଁ !
ମାଆ ବୋଲି ଯେଉଁ ଦୁଇଟି ଅକ୍ଷର
କିଏ ହେବ ତାର ସରି ,
ତା ‘ଚରଣ ଧୂଳି ମଥାରେ ମାରିଲେ
ବିପଦରୁ ହେବି ପାରି l
ସ୍ଵାଗତିକା ମିଶ୍ର
କଣ୍ଟାବାଞ୍ଜି (ବଲାଙ୍ଗୀର)
Readers Interaction