ଆସ ପୁଣି ଥରେ ଏ ଧରା ଧାମରେ
ବୁଦ୍ଧ ସୁଖେ ଦିଅ ସୁଧା ପରଷି,
ବରଷି ଆଶିଷ ପାପ କର ନାଶ
ପୁଣ୍ୟରେ ବସୁଧା ଉଠିବ ହସି।
ତୁମ ଶାନ୍ତି ବାଣୀ ସରାଗରେ ବୁଣି
ସରଗ ସମାନ ଗଢ଼ିବ ଧରା,
କାମନା ହଟାଇ ଦୁଃଖ ପୋଛି ନେଇ
ସୁଖରେ ଚାଳିବ ସଂସାର ସାରା,
ଋଣ ରଣ ରୋଗ ବାର୍ଦ୍ଧକ୍ୟ ଦୁର୍ଯୋଗ
ନ ସାଧିବ ଦାଉ ଉତ୍ପାତେ ବେଶି,
ଆସ ପୁଣି ଥରେ ଏ ଧରା ଧାମରେ
ବୁଦ୍ଧ ହେ ଦିଅ ସୁଧା ପରଷି।
କାମନା ବିନାଶ ଦୁଃଖ କରେ ନାଶ
ସତ୍ୟ ଅହିଂସାର ସାଧକ ନାମେ,
ହେଉ ଜୟଗାନ ବିଶ୍ୱ ହେଉ ଧନ୍ୟ
ପୁଣ୍ୟର ପ୍ରଭାବେ ମରତ ଧାମେ।
ତୁମେ ବିଶ୍ୱ ପ୍ରାଣ କର ପରି ତ୍ରାଣ
ବିନାଶ ପଥରେ ଧାଉଁଛି ଧରା,
କାମନା ଅଧୁନା କରେ ନିଚ ମନା
ଦୁଃଖର ଜହର ଜୀବନେ ଭରା,
ଭେଦଭାବ ବଢ଼ି ପ୍ରାଣ ନିଏ କାଢ଼ି
ବିଶୃଙ୍ଖଳା ରୋଷେ ଆସଇ ପଶି,
ବରଷି ଆଶିଷ ପାପ କର ନାଶ
ପୁଣ୍ୟ ରେ ବସୁଧା ଉଠିବ ହସି।
ତୁମରି ଆଶିଷେ ଅମୃତ ବରଷେ
ମଧୁମୟ ହେବ ସଂସାର ସାରା,
ପ୍ରାଣ ମୟ ହେବ ଜଗତ ବିଭବ
ଶାଶ୍ୱତ ପ୍ରେମରେ ହସିବ ଧରା।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ
Readers Interaction