ଦୁଃଖରେ ହେଉ କି ସୁଖରେ ହେଉ
ତୁମ ନାମ ପ୍ରଭୁ ମୋ ତୁଣ୍ଡେ ଥାଉ ।
ଦୀନବନ୍ଧୁ ବୋଲି ଗୁହାରୀ ମୋର
ସତ ହହିବାକୁ ଲାଗୁଛି ଡର ।
ତଥାପି କହୁଛି ଶୁଣ ଠାକୁରେ
ଚକାଆଖି ମୋର ଆସ ସତ୍ୱରେ ।
ଦେଖିବ ଜଗତ ମିଛର ଘର
ନିଜ ଲୋକ ଏଠି ସବୁଠୁ ପର ।
ମିଛ ବାକ୍ୟ ଆଉ ଟାହି ଟାପରା
ଚାଲିଛି ଦେଖିବ ଜଗତ ସାରା ।
ନିଜ ଭାଇ ବନ୍ଧୁ ପର ସାଜନ୍ତି
ପର ଲୋକ ଏଠି ସ୍ୱାର୍ଥ ଖୋଜାନ୍ତି ।
ବୃଦ୍ଧ ପିତାମାତା ଜରା ନିବାସେ
ପୁତ୍ର କନ୍ୟା ଛନ୍ତି ନିଜ ଉଆସେ ।
ଧର୍ମ ନାମେ ଏଠି ଅଧର୍ମ ଚାଲେ
ପୁଣ୍ୟ ଦେବାଳୟେ ପାପୀଙ୍କ ମେଳେ ।
କହିବା କାହାକୁ ଶୁଣିବ କିଏ
ବଡ଼ ଏଠି ପ୍ରଭୁ ଯାହାକୁ ଯିଏ ।
ତୁମେ ଜଗନ୍ନାଥ ଜଗତେ ବଡ଼
ଧର୍ମେ ଚାଲେ ଯିଏ ସେ ଏଠି ଜଡ ।
ତୁମେ ବୁଝ ପ୍ରଭୁ ଜଗତ ଦୁଃଖ
ତୁମ ନାମ ମୋର ଜୀବନେ ସୁଖ ।
ଏତିକି ଜାଣିଛି ହେ ମହାବାହୁ
ତୁମେ ପାଶେ ଥିଲେ ଭୟ ନ ରହୁ ।
ଜୟ ଜଗନ୍ନାଥ ଶୁଣୁ ଜଗତ
ତୁମ ନାମେ ମୁକ୍ତ ହେଉ ଭକତ ।
ଏତିକି ମାଗୁଣି ହେ ଦୀନବନ୍ଧୁ
ଜଗତକୁ ରଖ ହେ କୃପାସିନ୍ଧୁ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ
Readers Interaction