ମାତା ତୁମର ଜଗତ ଜନନୀ,
ପିତା ଅଟନ୍ତି ସୃଷ୍ଟି ର ଆଦି ଅନ୍ତ !
ଅଗ୍ର ପୂଜ୍ୟ ତୁମେ ହେ ଗିରିଜାନନ୍ଦନ,
ଚରଣେ ଆଶ୍ରିତ ତୁମ କୋଟି ଭକ୍ତ !!
ମାତୃ ଆଜ୍ଞା ପୁର୍ଣ କରିବାପାୟୀ,
ପିତା ର କ୍ରୋଧ- ଭାଜନ ହେଲ!
ନିଜ ଶିଶ ବଳି ଦେଇ ଗଜ ମୁଖ ଲଗାଇ,
ଗଜାନନ ପ୍ରଭୁ ନାମ ବହିଲ!!
କୋଟି ସୂର୍ଯ୍ୟ ପରି ତେଜ ତୁମର ,
ଅଜ୍ଞାନ-ଅନ୍ଧକାର କୁ ଦିଏ ଦୁରେଇ !
ସ୍ମରଣ କରି ଲୋକେ ନାମ ତୁମର,
ସବୁ ବିପଦ କୁ ଦିଅନ୍ତି ଆଡେଇ !!
ରିଦ୍ଧି ସିଦ୍ଧି ସାଙ୍ଗେ ସଦା କର ବାସ,
ଶୁଭ ଲାଭ କରେ ଯେ ଭଯେ ତୁମକୁ !
ତୁମେ ବକ୍ରତୁଣ୍ଡ ତୁମେ ମହାକାୟ,
ସ୍ମରିଲେ ଦୁଃଖ ନ ଆସେ ପାଖକୁ !!
ତୁମେ ଚତୁର୍ଭୁଜ ତୁମେ ଦୟାଵନ୍ତ ,
ମସ୍ତକରେ ଶୋଭା ପାଏ ସିନ୍ଦୁର !
ଫଳ ଫୁଲ ଦେଇ ଯେତେ ପୁଜିଲେ,
ଲଡ଼ୁ ଉପରେ ଆଶା ଟି ତୁମର !!
ଦିବ୍ୟ ତୁମ ରୂପ ଦିବ୍ୟ ତୁମ କୃପା,
ତୁମ ଦୟା ଥିଲେ ମୂର୍ଖ ହୁଏ ଜ୍ଞାନୀ !
ବର ଯାଚି କ୍ଷଣକେ କରିଦିଅ,
ଦରିଦ୍ର କୁ ତୁମେ ମହାଧନୀ !!
କରପତ୍ର ଯୋଡି ମୁହିଁ କରୁଛି ନିବେଦନ,
ସକଳ ମଙ୍ଗଳ କର ତୁମେ ଶ୍ରୀ ଗଣେଶ !
ହରଷେ ରୁହନ୍ତୁ ସଭିଏଁ ମିଶି,
ସବୁରି ବିଘ୍ନ ହେଉ ନାଶ !!
ବିଘ୍ନ ବିନାଶନ ଶ୍ରୀ ଗଜାନନ,
ତୁମ ଚରଣେ ପ୍ରଭୁ କୋଟି ପ୍ରଣାମ !
ଅଜ୍ଞାନ ଅବୋଧ ମୁଁ ତୁମ ବାଳକ,
ପୁର୍ଣ କର ମୋର ମନସ୍କାମ!!
ପ୍ରୀତି ମହାପାତ୍ର
ରାଇଘର,ନବରଙ୍ଗପୁର
Readers Interaction