ସ୍ବର୍ଣ୍ଣପ୍ରସୂ ଧରଣୀର ପ୍ରତି ଧୂଳିକଣା
ଗାଉଅଛି ତୁମ ନାମ
ଆକାଶ ବି ଗାଊଅଛି ତୁମ ଜୟଗାଥା
ଥରୁଛି ମୋ କବି ହସ୍ତ ଆଜି
ଲେଖିବାକୁ ତୁମରି କବିତା ।।
ମାଟି ସହ ମାଟି ହୋଇ ତୁମେ ଦିନ ରାତି ଖଟିଖଟି
ଖରା ବର୍ଷା ଶୀତ କୁ ନ ଡରି କର ପରିଶ୍ରମ
ହେ ବୀର କୃଷକ !
ତୁମ ପାଦେ କରୁଅଛି ତେଣୁ ,ସହସ୍ରେ ପ୍ରଣାମ ।।
କ୍ଷୁଧାର ଅନଳେ ତମେ ଦଗ୍ଧୀଭୂତ ହୋଇ
ଜଗତକୁ କରୁଅଛ ବିତରଣ ଅନ୍ନ
ନିତି ନିତି ଅଶ୍ରୁସ୍ନାନ କରି
ସଭିଙ୍କ ଓଠରେ ହସ କରୁଛ ଅଙ୍କନ ।।
ତୁମ ଶ୍ରମ ଦେଖି ତୁମ କଷଣକୁ ଦେଖି
ସ୍ତବ୍ଧ ହୁଏ ପାହାଡ଼ଟା ଗଗନରେ ଚମକେ ବିଜୁଳି
ନିଜ ପାଇଁ ଘର ଖଣ୍ଡେ ପାରିନାହଁ ତୋଳି
ମୋ ଦେଶରେ ଭରିଅଛି କେତେ ଅଟ୍ଟାଳିକା
ତା ପଛରେ ରହିଅଛି ତୁମ ଅବଦାନ
ସିଞ୍ଚି ସିଞ୍ଚି ନିଜ ରକ୍ତ ତମେ
ମୃତ୍ତିକାରେ କରୁଅଛ ସ୍ବର୍ଣ୍ଣ ଉତ୍ପାଦନ ।।
ଧନ୍ୟ ତୁମେ ଧନ୍ୟ ହେ କୃଷକ !
ଶ୍ରେଷ୍ଠ ସନ୍ତାନ ତୁମେ ଭାରତ ମାତାର
ତୁମ ପାଦେ କରୁଅଛି କୋଟି ନମସ୍କାର
ତୁମ ପାଦେ କରୁଅଛି କୋଟି ନମସ୍କାର ।।
ଭୂମିସୁତା ସାହୁ
ରୁଙ୍ଗୁଣିଆ
ବରଗଡ଼
Readers Interaction