ଗଉରୀ ନନ୍ଦନ ପ୍ରଭୁ ମହାବିନାୟକ
ବୁଦ୍ଧି, ସିଦ୍ଧି, ଦାତା ତୁମେ ବିଦ୍ୟା ପ୍ରଦାୟକ ll
ଅଗ୍ର ପୂଜ୍ୟ ଦେବ ପ୍ରଭୁ ପ୍ରଥମ ବନ୍ଦନ
ବିଘ୍ନ ବିନାଶକ ତୁମେ ଗିରିଜା ନନ୍ଦନ ll
ମୂଷିକ ବାହନେ ପ୍ରଭୁ ତୁମେ ତ ସାରଥୀ
ସଦାଶିବଙ୍କ ନନ୍ଦନ ତୁମେ ମହାରଥୀ ll
ଜ୍ଞାନର ଜ୍ୟୋତି ସ୍ଵରୂପ ବିଦ୍ଵାନ ମୂରତି
ଜ୍ଞାନର ଭଣ୍ଡାର ତୁମଠାରୁ ଯେ ଉତ୍ପତ୍ତି ll
ବିବାହ, ବ୍ରତ, ହୋମରେ ଆଗେ ତୁମ ନାମ
ତୁମ ପୂଜା-ଅର୍ଚ୍ଚନାରେ ସିଦ୍ଧି ସବୁ କାମ ll
ସର୍ବ ଶୁଭ ମଙ୍ଗଳରେ ତୁମରି ଅର୍ଚ୍ଚନା
ବିଦ୍ୟାରମ୍ଭେ , କାର୍ଯ୍ୟାରମ୍ଭେ ତୁମରି ବନ୍ଦନା ll
କୋଟି ସୂର୍ଯ୍ୟଠାରୁ ପ୍ରଭୁ ତୁମେ ତେଜୀୟାନ
ଏକଦନ୍ତ ମହାକାୟ ସିନ୍ଦୁର ବଦନ ll
ତୁମ ଦୟାବଳେ ମୂର୍ଖ ହୁଅନ୍ତି ପଣ୍ଡିତ
ତୁମ ହସ୍ତ ଲେଖନୀରୁ ଶାସ୍ତ୍ର ସବୁ ଜାତ ll
ବିଦ୍ୟାଦାତା ପ୍ରଭୁ ସର୍ବ ମଙ୍ଗଳ କରତା
ବିଘ୍ନ ବିନାଶକ ପ୍ରଭୁ ତୁମେ ଜଗତ୍ ଜିତା ll
ମଧୁମୟ ପ୍ରଭୁ ତୁମେ ଶ୍ରୀ ଗଣପତୟ
ଲଡୁ ଓ ଶ୍ରୀଫଳ ତୁମ ଭାରି ଆଦରିୟ ll
କପାଳେ ଚନ୍ଦନ ତୁମ କାନ୍ଧରେ ପଇତା
ପାପାଙ୍କୁଶ ଲେଖନୀ ତୁମ ହସ୍ତେ ଶୋଭିତା ll
ଭାଦ୍ରବର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ
ମାହେଶ୍ୱରୀ ପୁତ୍ରେ ଅବତରିଲ ମହୀରେ ll
ବକ୍ରନେତ୍ର ଅପରୂପ ଶ୍ରୀମୁଖ ମଣ୍ଡଳ
ଜ୍ଞାନାଲୋକେ ଜ୍ଞାନେଶ୍ବର ଦିଅ ମନେ ବଳ ll
ଶ୍ରଦ୍ଧାଞ୍ଜଳି ପଣ୍ଡା
ପାତ୍ରପଡା, ଭୁବନେଶ୍ବର
Readers Interaction