ଜୟ ଶ୍ରୀ ଗଣେଶ ବିଦ୍ୟାର ଦେବେଶ
ଜୟ ହେ ପାର୍ବତୀ ନନ୍ଦନ ।
ତୁମରି ଚରଣେ ମାଗୁଛି ଶରଣ
ଘେନ ମୋ ପ୍ରାଣର ବନ୍ଦନ ।।
ହେ ମୂଷିକ ରାଜ ଆହେ ଅଗ୍ରପୂଜ୍ୟ
ମହାଦେବଙ୍କର ଅଞ୍ଜନ ।
କରୁଛି ଗୁହାରି ଆହେ ବିଘ୍ନହାରି
କର ମୋ ଦୁଃଖକୁ ଭଞ୍ଜନ ।।
ତୁମ ଶୁଭ ଦୃଷ୍ଟି ପଡ଼ିଗଲେ ଥରେ
ସର୍ଵଜ୍ଞାନ ଲଭେ ଅଜ୍ଞାନ ।
ତୁମେ କୃପା କଲେ ମିଳିଯାଏ ପରା
ଅନ୍ଧକୁ ଚକ୍ଷୁର ସନ୍ଧାନ ।।
ଜାଣିନାହିଁ ପ୍ରଭୁ ନୀତି କି ନିୟମ
କରିବାକୁ ତୁମ ପୂଜନ ।
ଭାଦ୍ରବ ଚତୁର୍ଥୀ ତୁମ ଆଗମନେ
ହସିଉଠେ ସାରା ଭୁବନ ।।
ବିଦ୍ୟା ଘର ମୋର ରହିଗଲା ଅଧା
ଘୋଟିଥିଲା କେଉଁ ଦୁର୍ଦିନ ।
ବିଘ୍ନ ବିନାଶକ କର ହେ ଆଶିଷ
ଫେରେଇଦିଅ ମୋ ସୁଦିନ ।।
କଲମକୁ ମୋର ଆଶୀର୍ବାଦ କର
ଶକ୍ତ ହେଉ ମୋର ଲିଖନ ।
ତୁମରି ଭଜନ ଗାଇ ଗାଇ ପ୍ରଭୁ
ବିତିଯାଉ ମୋର ଜୀବନ ।।
ସସ୍ମିତା ସାହୁ
ଥେଣ୍ଟପୁର,ବିର ନରସିଂହ ପୁର,ପୁରୀ
Readers Interaction