ସିଦ୍ଧି ପ୍ରଦାୟକ ଗଣନାଥ ନାୟକ
ଜୟ ଜୟ ଗଣପତି ଦେବ,
କାର୍ତ୍ତିକ ଅନୁଜ ଆହେ ଅଗ୍ରପୂଜ୍ୟ
ବିଘ୍ନ ବିନାଶାୟକ ଭବ ll
ବୁଦ୍ଧି ରିଦ୍ଧି ସିଦ୍ଧି ସାଥେ ରହି ସଦା
ଜଗତ ଜନେ ପାଳୁଥାନ୍ତି,
ମୂଷିକ ବାହାନରେ ବିଜେ କରି ପ୍ରଭୁ
ତ୍ରିଲୋକ ଭୁବନ ଘୁରୁଥାନ୍ତି ll
ପରଶୁ ପାଶ ଅଙ୍କୁଶ ହାତେ ନେଇ
ଦୁଷ୍ଟଙ୍କୁ ନିବାର ପ୍ରତ୍ୟକ୍ଷରେ,
ଅଷ୍ଟ ବିନାୟକ କାଟି ଅଷ୍ଟପାଶ
ସାଧୁ ସନ୍ଥ ରଖ ମହୀ ପରେ ll
ଗଜ ମସ୍ତକକୁ ଥନ୍ତଲ ପେଟରେ
ଭୂଜଗ ପଇତା ସାଜୁଥାଏ,
ବିଦ୍ୟାରମ୍ଭେ ତବ ନାମ ଆବାହନ
ବିଚିତ୍ର ରୂପକୁ ବର୍ଣ୍ଣୁ ଥାଏ ll
ସତ୍ୟେ ବିନାୟକ ତ୍ରେତାରେ ଗଣେଶ
ଦ୍ଵାପରେ ପାର୍ବତୀ ପୁତ୍ର ଦେବ,
କଳିର ଭବିଷ୍ୟ ପୁରାଣ ବଖାଣେ
ଧୂମ୍ରକେତୁ ଆହେ ବକ୍ରଦନ୍ତ ll
ତୁମ ପ୍ରତିଛବି କାଟେ ବାସ୍ତୁଦୋଷ
ଗୃହକର୍ତ୍ତା ଲଭେ ଶୁଭାଶିଷ,
ସଂସାରରୁ ମୋକ୍ଷ ପାଏ ସର୍ବ ଜନ
ଗଜାନନ ହେ କୃଷ୍ଣପିଙ୍ଗାକ୍ଷ ll
ଭାଦ୍ର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ
ହୁଏ ତବ ଶୁଭ ଆଗମନ,
ପଞ୍ଚଦେବ ମହାସ୍ତୁତି ସ୍ତୋତ୍ର ମଧ୍ଯେ
ଅଛ ତୁମେ ସଦା ବିଦ୍ୟମାନ ll
ବ୍ୟାସଦେବ ଉକ୍ତ ମହାଭାରତର
ପ୍ରଭୁ ହେ ଶ୍ରୀହସ୍ତ ଲିଖିତ,
ଧୃଷ୍ଟତା ମାର୍ଜନା କର କର ଗଣନାଥ
ମୁହିଁ ତବ ପଦେ ଆଶ୍ରିତ ll
ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା – ଢେଙ୍କାନାଳ
Readers Interaction