ହିନ୍ଦୁ ପରମ୍ପରା ବିଶ୍ୱାସ ପ୍ରତୀକ
ପୂଜ୍ୟ ପୂଜାର ସମ୍ଭାର
ଅଗ୍ର ପୂଜ୍ୟ ତୁମେ ଗଉରୀ ତନୟ
ଉଦୟ ହୁ’ନ୍ତି ମର୍ତ୍ତ୍ୟର l୧l
ବିଘ୍ନ ବିନାଶକ ବିଦ୍ୟା ଦାତା ତୁମେ
ସର୍ବତ୍ର ପୂଜିତ ହୁଅ
ପଞ୍ଚ ଦେବତାଙ୍କ ମଧ୍ୟେ ତୁମ ସ୍ଥାନ
ଜ୍ଞାନ ବୁଦ୍ଧି ଦାନ ଦିଅ l ୨l
ଭାଦ୍ରବ ମାସର ଶୁକଳ ପକ୍ଷରେ
ଚତୃର୍ଥୀ ଦିବସ ଜାଣ
ସବୁରିଙ୍କ ପ୍ରିୟ ଠାକୁର ତୁମେତ
କରି ଥାନ୍ତି ଆବାହନ l୩l
ଏକଦାନ୍ତ ପ୍ରଭୁ ଗଜାନନ ତୁମେ
ବିନାୟକ ଗଣପତି
ଲମ୍ବୋଦର ତୁମେ ଵକ୍ରତୁଣ୍ଡ ତୁମେ
ତୁମେ ଅଟ ମହାଯତି l୪l
ରିଦ୍ଧି ସିଦ୍ଧି ପତି ଦୟାର ମୂରତି
ପାର୍ବତୀ କୁଳ ନନ୍ଦନ
ଅଷ୍ଟ ବିନାୟକ ଶ୍ରୀଗଣେଶ ତୁମେ
ତୁମେ ପ୍ରଭୁ ଗଜାନନ l ୫l
ମୂଷିକ ବାହନ ଅଙ୍କୁଶ ଧାରଣ
ମନ୍ତ୍ର ଗଣେଶlୟ ନମଃ
ରକ୍ତ ଚନ୍ଦନରେ ନାଲି ପୁଷ୍ପ ଦେଲେ
ମନସ୍କାମ ହୁଏ ପୂର୍ଣ୍ଣ l୬l
ଲଡ଼ୁ ମୋଦକରେ ମନ ତୁମ ଥାଏ
ଥନ୍ତଲ ପେଟ ତୁମର
କୁବେରର ଅନ୍ନ ସବୁ ଖାଇ ଦେଲ
ଗର୍ବ ଭାଙ୍ଗିଲ ତାଙ୍କର l୭l
ଭକ୍ତି ଭାବନାରେ ତୁମେ ସିଦ୍ଧ ହସ୍ତ
ପିତା ମାତା ବଡ ଭାଇ
ସବୁରିଙ୍କ ସେବା ତୁମେ କରି ଥାଅ
ସ୍ନେହ ପ୍ରୀତି ଭରି ଦେଇ l୮l
ରାଗ ହିଂସା କ୍ରୋଧ ଦୂର କରି ଦେଇ
କ୍ଷମା ଗୁଣ ଭରି ଦିଅ
ପରୋପକାରରେ ଜୀଵନ ବିତୁ ମୋ
ନିଃସ୍ୱାର୍ଥ ପ୍ରେମ ଜଳାଅ l୯l
ହେ କରୁଣା ମୟ କରୁଣା ସାଗର
ଘେନିବ ମୋର ମିନତୀ
କୃପା କର ତୁମେ ଦିନ ଜନେ ପ୍ରଭୁ
ଶ୍ରୀଚରଣେ ରହୁ ମତି l୧୦l
ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର
Readers Interaction