ପାର୍ବତୀ ନନ୍ଦନ ବିଘ୍ନ ବିନାଶନ
ଭାଦ୍ରବ ଚତୁର୍ଥେ ଜନ୍ମ
ଆହେ ଗଜାନନ ଗଣପତି ବାବା
ପାଦରେ ତବ ପ୍ରଣାମ ।।
ପଞ୍ଚଦେବ ମଧ୍ୟେ ଶ୍ରେଷ୍ଠ ତୁମେ ପ୍ରଭୁ
ଅଗ୍ରେ ପୂଜା ପାଅ ନିତି
ମାତୃଭକ୍ତ ତୁମେ ମାତୃ ସତ୍ୟ ପାଳି
ଦୂର କରିଲ ବିପତ୍ତି ।।
ପାର୍ବତୀଙ୍କ ଅଙ୍ଗ ମଳିରୁ ଜନ୍ମିଲ
ସୁରକ୍ଷା କବଚ ହୋଇ
ବିଘ୍ନ ତାଙ୍କ ହରି ମହାଦେବ କୋପୁ
ମିଳନ ଦେଲ କରାଇ ।।
ଜ୍ଞାନର ଆଲୋକ ବୁଦ୍ଧିର ଭଣ୍ଡାର
ଭରିଦିଅ ହୃଦ ମଧ୍ୟେ
ବିଦ୍ୟାର ସାଗର ପାର୍ବତୀ ତନୟ
ଡାକେ ପ୍ରଭୁ ଯୋଡ ହସ୍ତେ ।।
ଘୃତ ଲଡୁ ପ୍ରିୟ ହେ ପ୍ରଭୁ ଗଣେଶ
ଭକ୍ତି ପ୍ରେମାମୃତ ପିଇ
ପାପ ତାପ ହର କଲୁଷ କାଳିମା
କୃପାକର କୃପାବହି ।।
ତବ ଦୟା ହେଲେ ମୁର୍ଖରୁ ପଣ୍ଡିତ
ଲଭିବେ କରୁଣା ସର୍ବେ
ଆହେ ପୂଜ୍ୟ ପାଦ ଶିକ୍ଷା ଅନୁଷ୍ଠାନେ
ପୂଜନ୍ତି ସଭିଏଁ ଭବେ ।।
ଲେଖନୀ ମୁନରେ ଆଣିଛି ତୁମକୁ
ତବ କୃପା ଲଭି ସର୍ବ
ସ୍ବଳ୍ପ ଜ୍ଞାନେ ତବ ମହିମା ବର୍ଣ୍ଣୁଛି
ଦୋଷ ଥିଲେ କ୍ଷମା ଦେବ ।।
ତାପ୍ତିମୟୀ ପଣ୍ଡା ମିଶ୍ର
ସହକାରୀ ବୈଷୟିକ ପରିଚାଳିକା ଆତ୍ମା
ମେଲଛାମୁଣ୍ଡା, ବରଗଡ ।।
Readers Interaction