ଫୁଟପାଥରେ ଦେହଟେ ;
ଦେହ ବୋଲି ହାଡ଼ ଉପରେ
କେଇ ପରସ୍ତ ଚମ–
ଅଙ୍ଗପ୍ରତ୍ୟଙ୍ଗ ଯେଝା ଜାଗାରେ ଥୁଆ ;
ଲୁଗାଟେ ପଡ଼ିଛି ନାଁକୁ ମାତ୍ର—-
ବସ୍ତ୍ର ବିନା ସୂତା ନ୍ୟାୟରେ ;
ଲାଜ ଲୁଚିବା ପାଇଁ —-
ଲୁଚୁଛି କେଉଁଠୁ ??
ପାଖରେ ସେମିତିଆ ଆଉ ଗୋଟେ ଦେହ
ବେସ୍ ଛୋଟ, ତା ଠୁ ଜନମ ;
ଭିକାରୀ ପିଲା, ପରିଚୟ ନାହିଁ ,
ପାପଟିଏ, ନ ଚାହିଁ ବି ଫୁଟି ଯାଇଛି —
କେଉଁ ଅପରିଚିତର ଦୁର୍ବଳ ବେଳାର
କାମନାର ଫଳ ହୋଇ ;
କାନ୍ଦୁଛି ଚିହିରି ଛାଡ଼ି ।
ଖୋଜୁଛି ସେ ଖାଦ୍ୟ
ମା’ର କଙ୍କାଳ ଉପରେ ଝୁଲି ପଡ଼ିଥିବା
ହଳେ ମାଂସ ପିଣ୍ଡୁଳାରୁ —-
ପ୍ରୟାସ ଜାରି.. ଫଳ ଶୂନ୍ୟ —
ଆସିବ ବା କେମିତି ??
ଦୁଇ ଦିନ ହେଲା ଖାଦ୍ୟ ପଡ଼ିନି–
ପେଟ ଖାଲି, ଦେହ ଜରେଇଛି ।
ଏବେ ମୁହଁ ସଞ୍ଜ ;
ଆଗରେ ଦୁଇଟି ପୁଡ଼ିଆ —
ଭୋକିଲାର ଦାନା, କେତେ କଣ ଅଛି–
ମା ଖାଇଲା– କିଏ ଦେଲା, କାହିଁକି ଦେଲା
ନିଘା ନାହିଁ.. ଇଛା ବି ନାହିଁ–
ଭୋକ ଜାଣେନା ପାପ ପୁଣ୍ୟ,
ଦାତା କିଏ….ଦଇବ କିଏ;
ଦାନବ କିଏ …. ମାନବ କିଏ ।
ଏଣେ ଦାତାଙ୍କର ନୂଆ ଅବତାର
ଭିତର ଜନ୍ତୁର ଆବିର୍ଭାବ,
ସେଇ ଫୁଙ୍ଗୁଳା ଦେହରେ ହାତ ବୁଲିଲା
ସାରା ଶରୀରକୁ ଛୁଇଁଲା ସେ–
ଆପାଦମସ୍ତକ….ଧୀରେ ଧୀରେ–
ଅନୁଭବ କରୁଥିଲା ଗୋଟେ ମଜବୁର
ଲଙ୍ଗଳା ଦେହକୁ ।
ନିଃଶ୍ବାସ ତୀବ୍ର ହେଲା ଧୀରେ ଧୀରେ–
ଦୁଇ ଦେହ ଘର୍ମାକ୍ତ —
ବାହାର ଦେହଟା ବଞ୍ଚିବା ପାଇଁ
ଭିତରଟାକୁ ମରିବାକୁ ହେଲା– ପୁଣି ଥରେ–
ଗୋଟିଏ ଭୋକିଲା
ଆଉ ଗୋଟେ ଭୋକିଲାର
କାମରେ ଆସିଲା–
ଦୁଇ ଅଚିହ୍ନା ଦେହ ଏକ ହୋଇ ଗଲେ,
ରତିକ୍ଳାନ୍ତା ସଞ୍ଜ ଏବେ ରାତି ହେଉଥିଲା ।
ଏଥର ସେ ଶୁଷ୍କ ମାଂସ ପିଣ୍ଡୁଳାମାନ
ଜୀବନ୍ତ ହୋଇଗଲେ–
ନିର୍ଝରିଲେ ଆଉ ଥରେ,
ଚର୍ମରନ୍ଧ୍ର ଭେଦି — ମାତୃତ୍ୱର ମହକ ନେଇ
ଛୁଆଟି କିଛି ନବୁଝି ମୁହଁ ଲଗାଇଲା–ସବୁଥର ଭଳି
ଏକା ଥରକେ ଗୁଡ଼ିଏ ଭୋକ—-
ମେଣ୍ଟିଗଲେ କିଛି ପାପ ସହ—-
ଆଉ ଗୋଟେ କ୍ଷୁଧାଜ ପାପର
ଆସିବା ଅପେକ୍ଷାରେ ।।
ଫ୍ରାନସିସ୍ ଶତପଥୀ
ବଡମ୍ବା
କଟକ
Readers Interaction