ଆହା ମୋ ପଖାଳ ହୋଇଲେ ସକାଳ
ଖୋଜା ପଡ଼ିଯାଏ ତୋତେ
ଓଡ଼ିଆ ଜାତିର ପୂର୍ଣ୍ଣ ପରିଚୟ
ସ୍ଵାକ୍ଷର ବହିଛୁ ସତେ |
ଗରିବ କୃଷକ ଖଟିଖିଆଙ୍କର
ତୁହି ଭରସାର ମୂଳ
କଂସାଏ ପଖାଳ ଠୁଙ୍କି ଦେଇଥିଲେ
ଶ୍ରମକୁ ନଥାଏ ଡର |
ଲୁଣ ଲଙ୍କା ଖଟା ଥିଲେ ତୋ ସାଥିରେ
ବ୍ୟଞ୍ଜନ କି ପ୍ରୟୋଜନ
ଥିଲେ ବଡ଼ିଚୁରା ବାଇଗଣ ପୋଡା
ତଡ଼ିନିଏ ଗୁଣ୍ଡାମାନ |
ତାମ୍ପଡ଼ା ଶୁଖୁଆ ପୋଡ଼ାକୁ ଧନିଆ
ପତ୍ର ଟିକେ ଦଳିଦେଲେ
ସଜ ଶାଗ ଭଜା ପାଶେ ରହିଥିଲେ
ସେ ମଜା କାହାକୁ ମିଳେ |
ତୋ ଦେହେ ଟିକିଏ ଦହି ମିଶିଗଲେ
ବୋଲାଏ ଦହିପଖାଳ
ସେହି ତୋରାଣିରୁ ବେଲେ ପିଇ ଦେଲେ
ଭାଜେ ଅଂଶୁଘାତ ବଳ |
ମାଟି ହାଣ୍ଡି ଭାତ ତୋରାଣି ସହିତ
ଅମୃତ ନୁହଁଇ ତୁଲ
ରୋଗ ନିବାରକ ଶକ୍ତି ବିବର୍ଦ୍ଧକ
ସ୍ୱାସ୍ଥ୍ୟପାଇଁ ଅନୁକୂଳ |
କଡା ମାଛ ଭଜା କିମ୍ବା ଆଳୁ ଚପ
ଚିପ୍ସ ପାମ୍ପଡ଼ ସହ
ହୋଟେଲରେ ଯିଏ ଖାଇଛି ପଖାଳ
ଭୁଲି କି ପାରିବ କହ |
ଜାଣିଲାଣି ବିଶ୍ୱ ପଖାଳ ମହତ୍ୱ
ପାଳେ ପଖାଳ ଦିବସ
ହାୟ ଏ ଓଡ଼ିଆ ପଖାଳ ବଦଳେ
ଗରମ ପାଣିରେ ତୋଷ ||
ରଚନା -କବି କମଳ ଜଗନ୍ନାଥ ବାରିକ
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ
ଚଣ୍ଡୀମଙ୍ଗଳ, ବଡମ୍ବା, କଟକ, ଓଡ଼ିଶା
ସୁନ୍ଦର କବିତା