ମାଟିରେ ଜନମ ମାଟିରେ ମିଶିବି
ମାଟିରେ ଅଛି ମୋ ସ୍ନେହ
ଖରା ବର୍ଷା ଶୀତ କାକରେ ବଞ୍ଚେ ମୁଁ
ଅଟେ ମୁଁ କୃଷକ ପୁଅ ।।
ମୁଣ୍ଡରେ ଗାମୁଛା ହାତରେ ପାଞ୍ଚଣ
କାଶିଆ କପିଳା ସାଥୀ
ନିଷ୍ଠୁର ନିଦାଘେ ଲଙ୍ଗଳ ମୁନରେ
ସଜାଡୁ ଥାଏ ମୁଁ ମାଟି ।।
ଝରା ଶ୍ରାବଣରେ ମୁଣ୍ଡରେ ପଖିଆ
ହାତରେ ଧାନର ତଳି
ଝଡ଼ ତୋଫାନକୁ ସହ୍ୟ କରେ କେତେ
ବଜ୍ରାଘାତେ ପଡେ ବଳି ।।
ଶୀତ ସକାଳରେ ସୁନା ଫସଲକୁ
ଆଖିରେ ଦେଖିଲେ ଥରେ
ଆନନ୍ଦ ଅଶ୍ରୁ ଝରି ପଡେ ମୋର
ପୋଛେ କାନ୍ଧ ଗାମୁଛାରେ ।।
ବାକିରେ ଆଣିଛି ସାର ବିଷ କେତେ
ଫଳାଇବା ପାଇଁ ଧାନ
ବାରମ୍ବାର ଖାଲି ଚାହେଁ ମୁଁ ଖଳାକୁ
ବିକିବାକୁ ନାହିଁ ମନ ।।
ସବୁତକ ଧାନ ବିକିଲେ ବି ମୁହିଁ
କରଜ ସୁଝିବ ନାହିଁ
ଦେହର ଦରଜ ହୃଦୟ କଷଣ
କା ଆଗେ କହିବି ମୁହିଁ ।।
ବଢ଼ିଲା ଝିଅକୁ ବାହା ନଦେଇ ମୁଁ
କାହାର ଧରିବି ଦୋଷ
ମହଙ୍ଗା ଯୁଗରେ କେମିତି ଚଳିବି
ନିଇତି କରି ମୁଁ ଚାଷ ।।
ଦେଶ ଭାତ ହାଣ୍ଡି ମୋହରି ବିଲରେ
ହେଲେ ମୋ ବୁଡୁଛି ହଂସା
ଚାଷୀ ବୋଲି ମୁହିଁ ଦାଣ୍ଡରେ ବସୁଛି
ପିଣ୍ଡାରେ ପଖାଳ କଂସା ।।
ରକତକୁ ପାଣି କରି ମୁଁ ଖଟୁଛି
ଦେଶକୁ ଆହାର ଦିଏ
ଚିରା ଶାଢ଼ୀ ପିନ୍ଧି ସ୍ତ୍ରୀ ମୋ କାନ୍ଦୁଛି
ଟାହି ଟାପରା ବି ସହେ ।।
ସରକାରୀ ସ୍କୁଲ ଖୋଲା ମୋ ପିଲାଙ୍କୁ
ମଧ୍ୟାହ୍ନ ଭୋଜନ ଖାଇ
ଧାନ ବିକି ସବୁ କେମିତି ଚଳିବି
କୃଷକ ଜୀବନ ପାଇ ।।
ବରଷାକୁ ମୋର ଭରସା ପାଏନି
ଫସଲ ମୋ ଜଳେ କେବେ
ଆତ୍ମହତ୍ୟା ପରି ଅପମୃତ୍ୟୁକୁ
ଆପଣେଇ ନିଏ ତେବେ ।।
ମୁଁ ପାଏନି କେବେ ସହୀଦ ମାନ୍ୟତା
ତଥାପି ମୁଁ ଦୁଃଖୀ ନୁହେଁ
ଦେଶକୁ ନୀତି ମୁଁ ଖାଦ୍ୟ ଯୋଗାଉଛି
ଏତିକି ଗର୍ବରେ କହେ
କୃଷକ ଜୀବନ ଇଏ
ମୋ ରକତ ସିନା ପାଣି ହୋଇଯାଏ
ଦେଶକୁ ବଞ୍ଚାଉ ଥାଏ।
ପ୍ରଶାନ୍ତ କୁମାର ସେଠୀ
ଭଦ୍ରକ
Readers Interaction