ହସ ଖୁସିର ପରିଧି ଭିତରେ
ସମୟର ପ୍ରଖର ସ୍ରୋତରେ
ବଦଳିଯାଉଛି କି ମଣିଷର ଭାବନାର ରଙ୍ଗ?
କର୍ତ୍ତବ୍ୟର ବାହାନ ଭିତରେ
ଅହଁକାରର ଶାଣିତ ପ୍ରହାରରେ
ଭୁଲିଯାଉଛି କି ମଣିଷ ବାସ୍ତବତାର ଶବ୍ଦ?
ବିଶ୍ବାସର ପରଦା ଭିତରେ
ଅବିଶ୍ବାସର ଅଭିନୟରେ
ଅଟକିଯାଉଛି କି ମଣିଷର ବାସ୍ତବତାର ରୁପ?
ସତ ମିଛର ଲଢେଇ ଭିତରେ
କଳହର କ୍ଷେପଣାସ୍ତ୍ରରେ
ଲୁଛିଯାଉଛି କି ମଣିଷର ସତ୍ୟରଶବ୍ଦ?
ଶାନ୍ତି ଅଶାନ୍ତି ର ଦହନ ଭିତରେ
ଜଞ୍ଜାଳର କୁହେଳିକା ଭିତରେ
ଭାଙ୍ଗିପଡୁଛି କି ମଣିଷର ମନର ବିଶ୍ବାସ?
କ୍ରୋଧ ହିଂସାର ଶିକାର ଭିତରେ
ଅବୁଝା ଆସକ୍ତିର ଛଳନା ରେ
ଭୁଲିଯାଉଛି କି ମଣିଷ ନିଜର ସ୍ଥିତି?
ଲୋଭ ମୋହର ମାୟା ଜାଲରେ
କାମନା ବାସନା ର ଆୟତରେ
ମିଶିଯାଉଛି କି ମଣିଷ ଜୀବନର ଶକ୍ତି?
ଆଘାତ ଅପମାନର ଝଡରେ
ଧୈର୍ଯ୍ୟର ଅଣାୟତରେ
ଭାଙ୍ଗିପଡୁଛି କି ମଣିଷ ହୃଦୟର ବିଶ୍ବାସ?
ନିରାଶା ଦୁଃସ୍ଵପ୍ନର ଭିଡ଼ ଭିତରେ
ଆଶାର ଅମାନିଆ ଗତିରେ
ବୁଡିଯାଉଛି କି ମଣିଷ ସ୍ବପ୍ନର ଦୃଶ୍ୟ?
ଅହଁକାର ଅହଁଭାବର ପ୍ରଲେପରେ
ଅମାନିଆ ମନର ପ୍ରବେଶରେ
ଭୁଲିଯାଉଛି କି ମଣିଷ ନିଜର କର୍ମ?
ସକାଳରୁ ସନ୍ଧ୍ୟା ଭିତରେ
ସୂର୍ଯ୍ୟଙ୍କ ଛାଇ ଆଲୁଅରେ
ଭୁଲିଯାଉଛି କି ମଣିଷ ନିଜର କର୍ତ୍ତବ୍ୟ?
ପ୍ରଶ୍ନର କବିତା ଭିତରେ
ଭାବନାର ସହରରେ
ଛାଡିଯାଉଛି କି ମଣିଷ ଆଉ କିଛି ପ୍ରଶ୍ନ?
ଅଧ୍ୟାପକ ସମର ବଲ୍ଲଭ ଭୋଇ
Readers Interaction