ଅବାନ୍ତର ପୁଣି ସତ୍ୟର କାହାଣୀ
ସବୁ ବୁଝାମଣାକୁ ଜଗିଥାଏ ପ୍ରହରୀ
ପୂର୍ବଥର ଦୁଃଖ ଆସିଥିଲା
ମଝି ରାସ୍ତାରେ ଯେଭଳି
ଏଥରର ଯନ୍ତ୍ରଣା କରିଛି
ଠିକଣା ଚୋରି ||
ଭାଗ୍ୟରେଖା ଜାତକ ବିଚାର
କଷୁଥିଲା ସମୟର ଫଳାଫଳ
କର୍ମ କଲାପରେ ମଧ୍ୟ
ମିଳିଥିଲା ବାରମ୍ବାର ଅସଫଳ
ଚାଲିଥିଲା ପ୍ରଭୁଙ୍କ
ଭରୋସା ଜିତିବାର ଖେଳ
ବୋଧହୁଏ ପ୍ରଭୁଙ୍କ ଠିକଣା ଚୋରି
ହୋଇଥିଲା ବୋଲି ଆଖି ଦୁଇଟି
ଲାଗିଥିଲା ଛଳଛଳ ||
ଅଲୌକିକ ଘଟଣା ଘଟୁଥାଏ
ନିତ୍ୟ ନିରନ୍ତର
ଶବ୍ଦର ଯାଦୁଗରୀ ଢଙ୍ଗରେ
ଚାଲେ ପ୍ରଭୁଙ୍କ ପ୍ରଚାର
ଭକ୍ତ ସ୍ନେହଭରା ଡାକ ଭକ୍ତିରେ
ଭାବକୁ କରିଛି ବିସ୍ତାର
ପ୍ରଭୁ କୃପା ବିଳମ୍ବ ପରେ ଠିକଣା ଚୋରି
ଭାବରେ ଥାଏ ସଂସାର ||
ତୁମ ଭାବ ତ୍ୟାଗ
ସୁଭିଥିଲା ବଇଁଶିର ସ୍ଵରେ
ବିପଦରେ ତୁମେ ଠିଆ ହୋଇଥିଲ
ଶଖାର ଦୁଆରେ
ଆସିବାକୁ ଡେରି ହେଲାରୁ
ସଖା କହୁଥିଲା ଠିକଣା ଚୋରି
ହୋଇଛି ଅଧା ବାଟରେ
ରସର କେଳି କରୁଥିଲ
ଯମୁନା କୂଳରେ ||
ମରଣ ଆଗରୁ କହିଜଣେ
ହାତଠାରି ଡାକୁଥିଲା ଦୂର ମେଘକୁ
ଅସୁମାରୀ ଦୂରତାର ସ୍ମୃତି ଜାହାଜକୁ
ଶେଷର ଭୋଗ୍ୟ ସୁନ୍ଦର ପ୍ରୀତି ଉନ୍ମାଦକୁ
କହୁଥାଏ ଠିକଣା ଚୋରକୁ ଠିକଣା ଦେବାକୁ ||
ମୃତ୍ୟୁ ଶବ୍ଦାର୍ଥ ବୁଝେଇବାକୁ
ଲାଗୁଥିଲା ବିପରୀତବୋଧ
ନୀଚ କର୍ମ ହଜେଇଥିଲା ସମ୍ମାନବୋଧ
ଜ୍ଞାନୀ ପଣ୍ଡିତ ଚିତ୍ରକାଟି ବୁଝନ୍ତି
କର୍ମର ପ୍ରାରବ୍ଧ
କର୍ମ ମାର୍ଗର ଠିକଣା ଚୋରିପରେ
ଲାଗେ ଜୀବନର ମୂଲ୍ୟବୋଧ ||
ତୁମେ ଜଣ ନିର୍ବୋଧ
ଶବ୍ଦର ଅହମିକାର ଗତି
ସ୍ଥିତିର ସମଷ୍ଟି ଆକାଶକୁ
ପାରିଛକି ବୁଝି
ପରମେଶ୍ୱର ପୃଥିବୀର
ରଙ୍ଗ ମଞ୍ଚରେ ଚାଲିଥାଏ ଖେଳି
ଠିକ କର୍ମର ଠିକଣା ହଜିଛି
ବୋଲି ସମସ୍ତେ ଖୋଜନ୍ତି କରି ପାଳି ||
Readers Interaction