ଚଢେଇ ଗାଉଛି ମଙ୍ଗଳଗୀତିକା
ବାଘ ମାମୁଁ ବୋଲେ ହୁଁ ଟି
ଫେରିଆସ କବି ପ୍ରିୟ ଅଭିମନ୍ୟୁ
ଝୁରୁଛି ଉତ୍କଳ ମାଟି ।
ପ୍ରଗନା ବରୁଆଁ ଗ୍ରାମ ଗୋଳକୁଣ୍ଡ
ନବର ବାଲିଆ ଆଜି
ଚିନ୍ତାରେ ବିଦଗ୍ଧ ଖୋଜେ ମଣିରତ୍ନ
ପ୍ରେମ ଅପ୍ରାକୃତ ପୁଞ୍ଜି ।
ବ୍ରାହ୍ମୀ ନଦୀ ତଟ ପ୍ରେମ ତରଙ୍ଗିଣୀ
ପ୍ରେମ କଳା ରସବତୀ
ରୀତିପ୍ରୀତି ସ୍ୱରେ ପୁକାରେ ମଧୁରେ
ସୁଲକ୍ଷଣା ଭାଗ୍ୟବତୀ ।
ଆସୁଛି ପାଖେଇ ବସନ୍ତ ମିଳନ
ରଙ୍ଗ ଅବିର ଉତ୍ସବ
ମହା ପଟୁଆରେ ଦୋଳ ବିମାନରେ
ସଜବାଜ ଇଷ୍ଟ ଦେବ ।
କୁଞ୍ଜ ବୃନ୍ଦାବନେ ବିଜେ ରାଧାକୃଷ୍ଣ
ଉଦୟ ପୂର୍ଣ୍ଣମୀ ଚାନ୍ଦ
ଖୋଜନ୍ତି ସାମନ୍ତ ସିଂହାର ବଂଶଜ
ଗଡ଼ ପୁରେ କ୍ଷାତ୍ର ବୃନ୍ଦ ।
ଭକ୍ତି ନବଧାରେ ଭକତ ବିଭୋର
ସୃଷ୍ଟି ତୁମ କାଳଜୟୀ
କାବ୍ୟାମୃତ ଗାଥା ସ୍ୱର୍ଣ୍ଣାଦି ଅକ୍ଷରେ
ଲିପିବଦ୍ଧ ଥିବ ରହି ।
ଖୋଜୁଛି ଚାନ୍ଦିନୀ କୁଳ ଚନ୍ଦ୍ରମାକୁ
ମଧୁ ମାସ ଖୋଜେ ବାସ
ବିଦଗ୍ଧ ଏ ଜାତି ପୁକାରେ ହେ କବି
ବରପୁତ୍ର ଫେରିଆସ ।
ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର
ଯାଜପୁର
Readers Interaction