ଏ ଦେଶର ଆତ୍ମା କୃଷି – କୃଷକ
ଶାସକ ପାରେନି ହେଜି
କୁମ୍ଭୀର ଆଖିରେ ସବୁବେଳେ ଲୁହ
ଚାଲିଛି ଭାଷଣ ବାଜି
ହକ ମାଗୁଛି ଚାଷୀ
ଭାଗ୍ୟ ବିଧାତା ଏ ଦେଶ ଜନତା
ଲୁହ ଗଡା଼ଉଛି ବସି l 1
ଏ ଦେଶେ ଚାଲିଛି ଏକ ଛତ୍ରବାଦ
ଜନତା କାନ୍ଦୁଚି ନିତି
ହୁ’ ହୁ’ ହୋଇ ବଢେ ଦର ଦାମ
ହସୁ ଅଛି ପୁଞ୍ଜିପତି
ଦଲାଲର ଜହ୍ନରାତି
ଏକ ଛତ୍ରବାଦୀ ନିଶେ ହାତ ମାରି
କରୁଅଛି ରାଜନୀତି l 2
ଏ ଦେଶେ ଶାସକ ବଡ଼ ଅହଙ୍କାରୀ
ଧରାକୁ ମଣୁଛି ସରା
ବଡ଼ ଆତ୍ମଗର୍ବୀ ନୃଶଂସ ବେପାରୀ
ଜାଣେ କି ଶାସନ ଧାରା ?
ଧର୍ମର ଦ୍ୱାହି ଦେଇ
ଲମ୍ବା ଚଉଡା ଭାଷଣ ଦିଏ ସେ
ଭୋଟ ପାଇବା ପାଇଁ l 3
ଭୋଟ ବେପାରୀ ଦେଶର ବଇରୀ
ନାହିଁ ତାର ଦେଶ ପ୍ରୀତି
ଦେଶ ପ୍ରେମର ପାଠ ପଢାଉଛି
କରି ହୀନ ରାଜନୀତି
ଜନ- ଗଣ ଜାଗି ଉଠ
ଭୋଟ ବେପାରୀ ସଇତାନ ସାଜି
କରୁଅଛି ବେଦ ପାଠ l 4
ଜାତି -ବର୍ଣ୍ଣ -ଧର୍ମ ସଭିଏଁ ସମାନ
ଭଗବାନ ବୁଦ୍ଧ ବାଣୀ
ସତ୍ୟ -ଅହିଂସା ପଥରେ ବାପୁଜୀ
ସ୍ୱାଧୀନତା ଦେଲେ ଆଣି
ପଥ ଭ୍ରଷ୍ଟ ସ୍ୱାଧୀନତା
ରାଜ ରାସ୍ତାରେ ଧାରଣାରେ ଚାଷୀ
ହସୁଛି ଶାସକ ନେତା l 5
ହିଂସାର ରଥି ଅଧର୍ମରେ ମାତି
ଧରିଛି ଶାସନ ଡୋର
ଭାଗ୍ୟ -ବିଧାତା ଚାଷୀ କୁଳ ଏଠି
ଗଡାଉଛି ଲୁହ ଧାର
ଦୁରାଚାରି ଦୁଃଶାସନ
ଯାଜ୍ଞସେନୀର କରୁଣ ଲୁହରେ
ପାଇ ନାହିଁ ପରିତ୍ରାଣ l 6
ଅନ୍ନଦାତାର ଡାକ ଶୁଣି ବାରେ
ଜାଗି ଉଠ ଦେଶ ବାସୀ
ରାଷ୍ଟ୍ର ଦ୍ରୋହିର ମିଥ୍ୟା ଭାଷଣେ
ହୁଅ ନାହିଁ କେବେ ଖୁସି
କ୍ଷମତାର କରାମତି
ଭୋକ ଉପାସରେ କାନ୍ଦେ ଅନ୍ନଦାତା
ହସେ ଏଠି ଶିଳ୍ପପତି l 7
ଅପାରଗ ଆଜି ଦେଶର ଶାସକ
ମୁହେଁ ନାଇଁ ତାର ଲାଜ
ବେଶ୍ୟା ବୁଲାଉଛି ମହାସତୀ ଏଠି
ଜନ ରାଜ୍ୟେ କରି ରାଜ
ମିଥ୍ୟା ବାଦୀ ବେଈମାନ
ନ ହଟିଲେ ଦେଶୁ ଚାଷୀ ପାଇବନି
ଅନ୍ନଦାତା ସନମାନ l 8
ଡଃ ପଦ୍ମଲୋଚନ ରାଉତ
ଗବେଷକ, ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି, l
Readers Interaction