ଫଗୁଣ ଆସିଲେ ଆମରି ଗାଁ କୁ
କୃଷ୍ଣ ଚୂଡ଼ା ଫୁଲ ଫୁଟେ
ଆମ୍ର କାନନେ କୋଇଲି କୂଜନେ
ପ୍ରିୟତମା ଜଗେ ଘଟେ
ଯୌବନ ମୁରୁକି ହସେ
ପ୍ରିୟତମ ଯେବେ ଚୁମି ଦିଏ ବାରେ
କିଆ ଫୁଲ ପରି ବାସେ l 1
ଦୂର ନୀଳାକାଶେ ମେଘ ମାଳ ଭାସେ
ମଳୟ ପବନ ବହେ
କୁହୁ କୁହୁ ତାନେ ବିମୋହିତ ପ୍ରାଣେ
ପ୍ରିୟତମା ଧୀରେ କହେ
ଆସିଛି ବସନ୍ତ ଧୀରେ
ନବ ଯଉବନା ସଦା ଆନମନା
ଛପି ଛପି ଆଖି ମାରେ l 2
ଛନ ଛନ ମନ ନବ ଯଉବନ
ଓଠରେ ମୁରୁକି ହସ
ଚନ୍ଦ୍ର ବଦନୀ ମନ୍ଦ୍ର ହାସିନୀ
ଅପରୂପା ତାର ବେଶ
ବସନ୍ତର ସମ୍ଭାଷଣେ
ଯୌବନ ସାଗରେ ପ୍ରଣୟ ଜୁଆର
କୂଳ ଲଂଘେ ପ୍ରତିକ୍ଷଣେ l 3
ମନର ମାନସୀ ବାରେ ଦିଏ ହସି
କୋମଳ ଗୋଲାପୀ ଓଠେ
ଓଦା ବସନରେ ତାର ଭିଜା ଦିହ
ପ୍ରିୟତମ ଦେଖେ ତୁଠେ
ମନ ଯାଏ ତାର ନାଚି
ପ୍ରେମ ପ୍ରଣୟର ମଧୁର ମିଳନେ
ପ୍ରିୟତମା ଆସେ ଲୁଚି l 4
ଫଗୁଣ ପରଶେ ପ୍ରିୟତମା ହସେ
କୋଇଲିର କୁହୁ ତାନ
ଆଜି ବି ଶୁଭୁଚି ଯମୁନା ଘାଟରେ
ବିରହୀ ମୁରଲୀ ସ୍ଵନ
ବିରହୀଣି ରାଧା ଝୁରେ
କେଡେ ମନୋହର ମୋ ଗାଁ ବସନ୍ତ
ଭୁଲି ନାହିଁ ପ୍ରବାସରେ l 5
ସୁଲୁ ସୁଲୁ ବହେ ଦକ୍ଷିଣା ପବନ
ପ୍ରିୟତମା ମନ ଖୁସି
ରଙ୍ଗ ହୋଲି ଖେଳି ବିମାନେ ଆସନ୍ତି
ରାଧା – କୃଷ୍ଣ ହସି ହସି
ଫୁଟେ କେତେ ମଲ୍ଲୀ ଫୁଲ
ନାଲି ଟହ ଟହ ପଲାଶ କୁସୁମ
ସତେ କି ଅମୂଲ ମୂଲ ! 6
ଡଃ ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l
(ଗବେଷଣକ ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର )
Readers Interaction