ସ୍ତୁତି ମୃଗୁଣୀ ର – ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

Views: 22
0 0
Read Time:5 Minute, 45 Second

ସୁବାହୁ ଭରତଖଣ୍ଡ ଘୋରବନ
ସହସ୍ର ଯୋଜନ,
ନିତ୍ୟ ଚିରନ୍ତନ ଭୂମି ସେ କୈଳାସପୁର,
ସତ୍ୟ ଶିବ ସ୍ୱଚ୍ଛନ୍ଦ ସୁନ୍ଦର,
ବିହାର କରନ୍ତି ଯହିଁ ମହାଦେବୀ ପାର୍ବତୀ,
ମହାପ୍ରଭୁ ସ୍ୱୟଂ ଦିଗପାଳ,
ଈଶାନ ଈଶ୍ୱର ।

ମୃଗୁଣୀ ତାରାବତୀ ନିରୀହା ଜନତା,
ସଦ୍ୟ ଅନ୍ତସତ୍ତ୍ୱ। ,
ଘେନି ବେନି ବାଳୁତନନ୍ଦନ
ବିଚରଇ କ୍ଷୁଧାର ବିକଳେ,
ସ୍ମରୁଥାଏ ଅହରହ
ଇଷ୍ଟ ପ୍ରଭୁ ନାମ ।

ବିରୁପାକ୍ଷ ବ୍ୟାଧ ଆଜନ୍ମ ପ୍ରଲୁବ୍ଧ,
ଚଉପାଶେ ପାତିଅଛି ଜାଲବାଡ
ନିରନ୍ଧ୍ର ନିବୁଜ,
ପଶ୍ଚାତରେ ବହ୍ନି ଲେଲିହାନ,
ବାମେ ଶ୍ୱାନ ମାରାତ୍ମକ ସମ୍ମୁଖରୁ
ଜଗିଛି ବ୍ୟାଧ, ହସ୍ତେ ତାର
ତୀକ୍ଷ୍ଣ ଧନୁର୍ବାଣ ।

ସନ୍ତାପରେ ବିଳପେ ମୃଗୁଣୀ
ଅନ୍ୟ ଗତି ନାହିଁ ,
ଅଳସ ତା ପାଦଗତି ମୂର୍ଚ୍ଛା ପ୍ରାୟ
ଅନ୍ଧକାର ଦଶଦିଶ, ପ୍ରାଣ ରକ୍ଷା
ଉପାୟ ତ ନାହିଁ ,
ପୁକାରେ ସେ ଘନଘନ ରଖ ରଖ
ଆର୍ତ୍ତତ୍ରାଣ ହେ ମଧୁସୂଦନ,
ମୋ ଶାବକ ଭ୍ରୁଣ ରକ୍ଷା ଜୀବନ
ମୁକତି ପାଇଁ ପାଦପଦ୍ମେ
ଦିଅ ହେ ଶରଣ, ନିରୂପାୟ
ମୋର ନାହିଁ ଗତି କିଛି ଆନ ।

ଭାଜିଗଲା ଯୋଗନିଦ୍ରା ମହାବିଷ୍ଣୁଙ୍କର,
ବୈକୁଣ୍ଠ ବି ହେଲା କମ୍ପମାନ,
ବର୍ଷିଲେ ଚାରିମେଘ ଇନ୍ଦ୍ର ଦେବ
ପ୍ରଭୁଙ୍କ ଆଜ୍ଞା ରେ,
ଛିଣ୍ଡିଗଲା ଜାଲମାନ ଅଣଚାଶ
ପବନ ପ୍ରଳୟେ,
ବଜ୍ରପାତେ ଶ୍ୱାନ ମଲା
ଶବରକୁ ଉରଗ ଗିଳିଲା,
ଦୟାକଲେ ଦୀନବନ୍ଧୁ ମୃଗୁଣୀ ର
ବିପତ୍ତି ଟଳିଲା ।

ଜନତା ବି ପ୍ରପୀଡ଼ିତ ମୃଗୁଣୀ ର ପ୍ରାୟ
ଡାକୁଅଛି ତ୍ରାହି ତ୍ରାହି
ଅସରନ୍ତି ମହାମାରୀ
ରୋଗ ଦୁଃଖ ବ୍ୟଥା ,
ମଳିନ ମୁଖମଣ୍ଡଳ ତା କଣ୍ଠରୁ
ନ ସ୍ଫୁରଇ କଥା ,
ଛକିଅଛି ପ୍ରଚ୍ଛନ୍ନ ରେ ଘେରି ଦଶଦିଶ
ଝୁଣି ଝୁଣି ଖାଉଛି ତା ହାଡ଼ ଆଉ ମାଂସ
ଅସହାୟ ଜୀବନ ଜୀବିକା,
ଉଦ୍ଧର ବିଷ ବଳୟୁ
କର ପ୍ରଭୁ ଜଗଦୀଶ ରକ୍ଷା ।

ସାହା ପ୍ରଭୁ ପତିତ ପାବନ
ଦୟାକର ଚକ୍ରଧର
କର ପରିତ୍ରାଣ ,
ନାଶ ହେଉ ଅଗତି ଦୁର୍ଗତି
ଧ୍ୱଂସ ହେଉ ମ୍ଳେଚ୍ଛ ରେ -ରେ-କାର,
ଛିଡିଯାଉ କପଟର ଦୁର୍ବିସହ
ସବୁ ମାୟାଜାଲ ।

ବିଷ୍ଣୁ ପୁରାଣ ବର୍ଣ୍ଣିତ ମୃଗୁଣୀ ବୃତ୍ତାନ୍ତ,
ମନଦେଇ ଶୁଣିଥିଲେ ରାଜା ପରୀକ୍ଷିତ,
ଶୁଣୁଛୁ ବି କି୦କର୍ତ୍ତବ୍ଯ ଆମ୍ଭେ ଅରକ୍ଷିତ,
ରଖିଲେ ରଖ ବା ମାର
ଆମ୍ଭେ ଟେକିଦେଲୁ ହାତ,
ଘୋର ପାପ କର ଅନ୍ତ ହେ
ଜଗନ୍ନାଥ,
ଇତି ଶ୍ରୀ ଶୁକ ଉବାଚ
ସମାପ୍ତ ।।

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର
ଯାଜପୁର ।

Share this :
Next Post

ଧୂଳିଘର - ଚିନ୍ମୟୀ ମହାପାତ୍ର

କିଏ ନ ଖେଳିଛି ଧୂଳିଘର ?ଧୂଳିବାଲି ବୋଳିହୋଇ ଅଝଟିଆ ହୋଇ…………… ମା’ ନାଲିଆଖି ଡର, ତଥାପି ଦାଣ୍ଡକୁ ଧାଉଁଥାଏ ବାରବାର ll ପିଲାଦିନ ଧୂଳିଘର…. ସେଠି ବି ଥିଲା ଜୀବନ ସମସ୍ୟାର ଦରବାର, ରନ୍ଧାବଢ଼ା, ବାହାଚୋରା…ମିଛିମିଛିକା ଘରବସା, ମିଛିମିଛିକା ବାପା, ମା ‘, ବରକନିଆ, ଜୀବନ, ମରଣ, ଏସବୁ ତ ସମାଜ ବେଭାରl ll ଏବେ ଏସବୁର ପ୍ରତିଫଳନ…… ଗୋଟେ ଗୋଟେ ଜୀବନ, ସତ ସତିକା ସବୁକିଛି, ସେଇ ରନ୍ଧାବଢ଼ା, […]

Subscribe US Now