ଅନ୍ତଃହୀନ ଭାବନା ଅନିର୍ବାଣ ତୃଷ୍ଣା
ମାନସ ମନ୍ଥନ ର ନିର୍ଯାସ
ସବୁ କିଛି ହାରି ଯାଏ,
ପ୍ରାରବ୍ଧ ର ଶକ୍ତ ଶିକୁଳି କୁ କାଟି ଦେଇ
ପ୍ରାଣ ପ୍ରାଚୁର୍ଯ୍ୟ ର ପ୍ରତିଷ୍ଠା
ଏତ ଦିବା ସ୍ବପ୍ନ ର ପରିକଳ୍ପନା,
ସମସ୍ତ ସମ୍ଭାବନା କୁ ଆହୁତି ଦେଇ
ନିଶ୍ୱ ସାଜିଲା ପରେ
ତଥାପି କମୁନାହିଁ ସ୍ବପ୍ନ ର ଶୃଙ୍ଗାର
ନା ଦେହ ଆପଣାର ନା ମୋହ ଆପଣାର
ସବୁଠି କେବଳ ମନ୍ଦ୍ରିତ ହୁଏ
ପ୍ରତାରଣା ର ପ୍ରତିଧ୍ୱନି ,
ପ୍ରକୃତି ର ରଙ୍ଗଶାଳା ରେ
ସୌଭାଗ୍ୟ କୁ ନେଇ ବଂଚି ହୁଏ
ବିଶ୍ୱାସ ର ଆକାଶ ରୁ ଝରିପଡ଼େ
ବାସ୍ତବତା ର ସମ୍ଭାର
ତଥାପି ମନ ବୁଝେ ନାହିଁ,
ଆଶକ୍ତି ର ମାୟାଜାଲୁ ମୁକୁଳି ପାରେନା,
ଯଦି ମୋର ନେବାର କିଛି ନାହିଁ
ପାଦ ଦିଟାକୁ ଲଗାମ ଦେବାକୁ ହେବ
ପ୍ରତିଥର ମରି ମରି ବଂଚିବା ର ଅର୍ଗଳ ରୁ
ଖୋଜିବାକୁ ହେବ
ଆଗାମୀ ସୂର୍ଯ୍ୟୋଦୟ ର ସମ୍ଭାବନା
ପ୍ରତ୍ୟାଶା ର ମଞ୍ଚ ରେ
ଆଶା ର ଲତା ଟିକୁ ସଳଖେଇ
ପ୍ରାରବ୍ଧ କୁ ସ୍ୱାଗତ କରିବାକୁ ହେବ
ଭାବିବାକୁ ହେବ ଏହାହିଁ ତ ବିଧାନ ।
ପ୍ରତାପ କିଶୋର ରାଉତ
ଧକୋଠା, କେନ୍ଦୁଝର
Readers Interaction