ଭାରତ ମାତାର ଅମୃତ ସନ୍ତାନ
ସଭିଏଁ ଭଉଣୀ ଭାଇ
ମିଳି ମିଶି ଆମେ ରହିବା ଏଇଠି
ତା’ର ଯଶକିର୍ତ୍ତୀ ଗାଇ ।
ପୂରୁବ ପୁରୁଷ ଦେଇ ଯାଇଛନ୍ତି
ସ୍ଵାଧୀନତା ର ପିୟୂଷ
ସପନକୁ ତାଙ୍କ ସାର୍ଥକ କରିଣ
ଲଭିବା ତାଙ୍କ ଆଶୀଷ।
ଜାତି ଭେଦ ଏଠି ରଖିବାନି କେହି
ସରବେ ଗୋଟିଏ ଜାତି
ଏକତା ସୂତ୍ରରେ ବାନ୍ଧି ହେଲେ ସିନା
ଦୃଢ଼ ହେବ ଆମ ଶକ୍ତି ।
କେହି ନୁହେଁ ପର ସଭିଏଁ ନିଜର
ନିର୍ମଳ ରଖିବା ମନ
ସ୍ନେହ ମମତାରେ ବାନ୍ଧି ହୋଇ ସର୍ବେ
ସରଜିବା ଭ୍ରାତୃପ୍ରେମ ।
ଗାନ୍ଧୀ ଜବାହାର ଆଦି କେତେ ବୀର
କହି ଯାଇଛନ୍ତି କାନେ
ଭାରତ ମାତାକୁ ସ୍ବାଧୀନ ରଖିବ
ବାୟୁ ଥିବା ଯାଏ ପ୍ରାଣେ ।
କେତେ ବୀର କେତେ ବୀରାଙ୍ଗନା ଏଠି
ଢାଳି ଦେଇଛନ୍ତି ପ୍ରାଣ
ତାଙ୍କରି ରକତ ପ୍ରତି ବଦଳରେ
ହୋଇଛି ଦେଶ ସ୍ବାଧୀନ ।
ସ୍ବାଧୀନ ଦେଶର ସନ୍ତାନ ବୋଲି ତ
ଗରବ କରୁଛୁ କେତେ
ସ୍ଵାଭିମାନ ତା’ର ରଖିବା ଅକ୍ଷୁର୍ଣ୍ଣ
ଆସୁ ବାଧା ବିଘ୍ନ ଯେତେ ।
ତ୍ରିରଙ୍ଗା ଆମର ଜାତୀୟ ପତାକା
ଉଡ଼େ ଫର ଫର ହୋଇ
ଶାନ୍ତି ଓ ମୈତ୍ରୀର ପ୍ରତିକ ସାଜି ସେ
କାନେ କାନେ ଯାଏ କହି।
ମୋ ଦେଶ ପରିକା ପବିତ୍ର ମାଟିରେ
ଜନମ ଲଭିଛି ମୁହିଁ
ବଞ୍ଚିଥିବା ଯାଏ କରୁଥିବି ସେବା
ମନ ତନ ପ୍ରାଣ ଦେଇ।
ସୁଷମା ମଞ୍ଜରୀ ଦାଶ
ଭେଡେନ ବରଗଡ଼
Readers Interaction