ସକାଳୁ ସକାଳୁ ଚାହା ଦୋକାନରେ
ଭିଡ଼ଦେଖ ଲାଗିଲାଣି।
ଦୋକାନୀ ଭାଇମୋ ପରଷି ଦେଉଛି
ସଭିଙ୍କର ମନଜାଣି।୧
କିଏ ମାଗୁଅଛି ବିନାକ୍ଷୀର ଚାହା
ମାଗେ କିଏ ବିନାଚିନି।
ଲେମନ୍ ଚାହାକୁ ଥୋଡେ ଜଗିଥାନ୍ତି
ଅମୃତ ପ୍ରାୟେକ ମଣି।୨
ଢୋକେ ଚା’ ସାଙ୍ଗକୁ ବିଡ଼ି ସିଗାରେଟ୍
ସାଙ୍ଗସାଥି ବନ୍ଧୁମେଳେ।
ପିଉଥାନ୍ତି ନିତି ଅତି ଆନନ୍ଦରେ
ସେନେହ ଭାବ ବିହ୍ୱଳେ।୩
ରାଜନୀତି ଚର୍ଚ୍ଚା ବସି କରୁଥାନ୍ତି
ପତ୍ରପତ୍ରିକାକୁ ଧରି।
ବାଜିମାଡ ହାତଧରି କରୁଥାନ୍ତି
ସତରେ ନେତାଙ୍କ ପରି।୪
ଦୁନିଆଁ ଯାକର ସବୁ ସମାଚାର
ଚାହା ଦୋକାନରେ ଶୁଣି।
ବାଳୁଙ୍ଗା ଟୋକାଏ ଆଜିର ଦିନରେ
କୁଜିନେତା ବନିଲେଣି।୫
ସଭା ସମିତିରେ ନେତାମନ୍ତ୍ରୀ ଆଗେ
ଶୁଣିଥିବା କଥାକହି।
ଭାରି ବାହାପିଆ ଭଲେଇ ହୁଅନ୍ତି
ମନକୁ ନିଅନ୍ତି ମୋହି।୬
ନେତାଙ୍କ ପଛରେ ନୁଗୁଁ ନୁଁଗୁ ହୋଇ
ଟାଉଟର ବନିଥାନ୍ତି।
ଅନ୍ୟାୟ ଅନୀତି ଦୁର୍ନୀତି ଭିତରେ
ରୋଜଗାର କରିଥାନ୍ତି।୭
ଆଜିର ସମାଜେ ଶିକ୍ଷିତ ବେକାରୀ
ଦିନକୁ ଦିନ ବଢୁଛି।
କାମଧନ୍ଦା ନାହିଁ କେଉଁଠି କାହାର
ଚାହା ଦୋକାନ ଜମୁଛି।୮
ଶ୍ରୀରାମ ସାହୁ
ଫୁଲବାଣୀ।କନ୍ଧମାଳ।
Readers Interaction