ଯୋଗ୍ୟତା ତମର ଅଛି କି ଏ ଭବେ
କରିଛ କି କେବେ ଗବେଷଣା
ବରିଷ୍ଠ ବୋଲି ଡେଙ୍ଗୁରା ପିଟୁଛ
ସତେ କି ତମେ ମାନବେ ଗଣା
ଧନ୍ୟ ତମ କରାମତି
ଜ୍ଞାନ ତମର ଆକାଶ ଛୁଇଁଛି
ତମେ ଭାଷା ସରସ୍ବତୀ ? 1
ପରଶଂସା କେବେ କାହାକୁ କରିଛ
ଇର୍ଷାରେ ଯାଇଛ ସର୍ବଦା ଜଳି
ବଡ଼ ଆତ୍ମ ଗର୍ବୀ ଅହଙ୍କାରୀ ତମେ
କିଏ ଅଛି ଭବେ ତମ ଠୁଁ ବଳି ?
ତମେ ଜ୍ଞାନ ମହାରଥୀ
ଆଲୋକିତ କର ଚଉଦ ଭୁବନ
ଦିନରେ ଜାଳି ବତୀ l 2
ବୃତ୍ତିରେ ତମେ ସବୁଠୁ ବରିଷ୍ଠ
ଦକ୍ଷତା ତମର ଗଗନ ଛୁଆଁ
ବିଦ୍ୟା ନିକେତନେ ସ୍ୱୟଂ ସରସ୍ବତୀ
ଶିକ୍ଷା ଦାନ ତମ କରେ କିମିଆ
ଗଗନୁ ଅମୃତ ଝରେ
ବିଦଗ୍ଧ ପାଠକେ ତଵ ଗୁଣ କୀର୍ତ୍ତି
ଝୁରି ଝୁରି ସଦା ମରେ l 3
କଳି କେ ପାରିବ ତମର ମହିମା
ସୁନାମି ଠୁ ଭୟଙ୍କର
ନିମିଷକେ ତମେ କରି ଦେଇ ପାର
ଏ ସୃଷ୍ଟିକୁ ଛାରଖାର
ତମେ ବଡ଼ ଗବେଷକ
ଜଗତଟା ହୀନ ତଵ ଜ୍ଞାନ ପାଶେ
ଜାଣିଛି ସାରା ମୁଲକ l 4
ତମକୁ ଦେଖିଲେ ଥରି ଉଠେ ଛାତି
ଘର ହୁଏ ଥର ହର
ମହାକାଳ ଫଳ କେଡେ ଲୋଭନୀୟ
ଭିତରେ ପୋଡା ଅଙ୍ଗାର
ତମକୁ ଶତ ଜୁହାର
ହେ ରଣ ଚଣ୍ଡୀ ଏତିକି ଗୁହାରୀ
ଦିନ ଜନେ ଦୟାକର l 5
ବରିଷ୍ଟ ବୋଲି ମନେ ଅହଂକାର
ଗରବେ ଫୁଲୁଛି ଛାତି
ଜାଣିଛ କି ତମେ ପ୍ରତିଭାର ମୁଲ
ସଦା କର ଖୋସାମତି
କେଉଁ ଗୁଣେ ତମେ ସରି
ଭାଷା ସାହିତ୍ୟର ସୁଦକ୍ଷ ବିନ୍ଧାଣି
ରାଇଜେ ପଡିଛି ହୁରି l 6
ସତେ କି ଗୋ ତମେ ଦେବୀ ବୀଣାପାଣି
ବିରାଜେ ନଭ ମଣ୍ଡଳେ
ତଵ ଯଶ କୀର୍ତ୍ତି ରହିଥିବ ଏଠି
ଇତିହାସେ କାଳେ କାଳେ
ତମେ ଅଟ ବାକ୍ୟ ବୀର
ନିମିଷକେ ପରା ପୋଡି ଦେଇ ପାର
ତତଲା ପାଣିରେ ଘର l 7
ଡଃ ପଦ୍ମଲୋଚନ ରାଉତ
ଗବେଷକ, ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l
Readers Interaction