କେତେ ଆଶା ନେଇ ନବୀନ ତପନ
ଧାରାକୁ ଆସିଛି ଆଜି
ସୁପ୍ରଭାତେ ଯେତେ ରାଗ ଅଭିମାନ
ନିମିଷକେ ଯାଉ ଭାଜି
ଏତିକି ପ୍ରାର୍ଥନା ମୋର
ରୋଗ ବ୍ୟାଧି କଷ୍ଟ ଅଭାବ କଷଣ
ଦୁଃଖ ପ୍ରଭୁ ଦୂର କର l 1
ପ୍ରତି ପ୍ରାଣେ ଦିଅ ଅପାର ଶକତି
ନୂଆ ଆଶା ଦିଅ ଭରି
ନିରୋଗ ଜୀବନ ସୁଖ ମୟ ହେଉ
କର ଏ ଭଵରୁ ପାରି
ଏତିକି କରେ ଗୁହାରୀ
ଶାନ୍ତିର ଦୁଆର ଖୋଲି ଦିଅ ପ୍ରଭୁ
ସକଳ ଯାତନା ହରି l 2
ହେ ଦୟାମୟ ମଙ୍ଗଳ ଆଳୟ
କରୁଣା ବିଧାନ ହରି
ଶରଣ ମାଗୁଛି ତୁମ୍ଭ ଶ୍ରୀଚରଣେ
ଦିଅ ହେ କରୁଣା ବାରି
ତୁମ୍ଭରି କରୁଣା ବଳେ
ସୂର୍ଯ୍ୟ ଚନ୍ଦ୍ର ତାରା ଆତଯାତ ଭବେ
ତୁମ୍ଭେ ସତ୍ୟ କାଳେ କାଳେ l 3
ହେ ଦୁଃଖ ନାଶନ ମଙ୍ଗଳ ବିଧାନ
ନିଖିଳ ଭୁବନ ସ୍ୱାମୀ
ପ୍ରତି ପ୍ରାଣେ ଭରି ଦିଅ ସୁଖ ଶାନ୍ତି
କରୁଣାର ଵୀଜ ବୁଣି
ତୁମକୁ ସୁମରି ନିତି
ହଟି ଯାଉ ସବୁ ବିପଦ ଆପଦ
ଆସୁ ସୁଖ ଶାନ୍ତି ପ୍ରୀତି l 4
ସୁଭାବନା ପ୍ରଭୁ ଭରି ଦିଅ ପ୍ରାଣେ
ଜଗତ କଲ୍ୟାଣ ପାଇଁ
ମାନବ ସେବାରେ ବିତୁ ଏ ଜୀବନ
ତୁମରି ମହିମା ଗାଇ
କରୁଛି ଶତ ପ୍ରଣାମ
ପ୍ରତିଟି ସକାଳ ହେଉ ଶୁଭ ମୟ
ଘେନା କର ନିବେଦନ l 5
ଡଃ ପଦ୍ମ ଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା
ମାଲକାନଗିରି l
Readers Interaction