ଗୁଣୀ କରିଥାଏ ଗୁଣର ଆଦର
ମୂର୍ଖ କରେ ହତାଦର
ଭ୍ରମେ ଭ୍ରମି ଭ୍ରମି ଭ୍ରମର ଆସଇ
ଫୁଲ ଥିଲେ ଯେତେ ଦୂର l 1
ମୂର୍ଖ କରେ ନିନ୍ଦା ଦିଏ ଅପବାଦ
ଇର୍ଷାରେ ଯାଏ ସେ ଜଳି
ସହି ପାରେ ନାହିଁ ଗୁଣୀର ସମ୍ମାନ
ଭାବେ ସ୍ୱୟଂ ମହାବଳୀ l 2
ମହା ଜ୍ଞାନୀ ବୋଲି ନିଜେ ଭାବେ ମୂର୍ଖ
କରେ ଯୁକ୍ତି ଅବାନ୍ତର
ଆତ୍ମ ଗର୍ବୀ ସିଏ ବଡ଼ ଅହଙ୍କାରୀ
ସର୍ପ ସମ ଭୟଙ୍କର l 3
ନିଜର ଗାରିମା ବଖାଣି ମୁହଁରେ
ଦେଖାଏ ସେ ବଡ ପଣ
ଫର ଫର ହୁଏ ପୋଖରୀ ତୁଠରେ
ଦଣ୍ଡକିରି ମାଛ ସମ , l 4
ସଦା ପିଟୁ ଥାଏ ନିଜ ଢୋଲ ନିଜେ
ଆନକୁ ମଣେ ସେ ହେୟ
ସତେ ଅବା ସିଏ ଭାଷା ସରସ୍ବତୀ
ଲଭେ ନାହିଁ ପରା ଜୟ ? 5
ଲାଜ ସରମ ମୁଖେ ନାହିଁ ତାର
ସରଗକୁ ବାନ୍ଧେ ସିଡ଼ି
ଜ୍ଞାନବନ୍ତ ଜନ ଅରଜଇ ପୁଣ୍ୟ
ଜ୍ଞାନ ପଥେ ସଦା ଚଢି l 6
‘ଅଳ୍ପ ଜ୍ଞାନୀ’ ଜନ ବଣ ବିଛୁଆତି
ସର୍ବଦା କରେ ସେ କଳି
ସୂର୍ଯ୍ୟ ପାଶେ ଯେହ୍ନେ ଜଳୁଥାଏ ଡିବି
ପଛରେ ମାରେ ସେ ତାଳି l 7
ଇର୍ଷାତୁର ଜନ ସମାଜ ବଇରୀ
ବିଶ୍ୱାସରେ ଦିଏ ବିଷ
ସାବଧାନ ସାଧୁ ! ଅହଙ୍କାରୀ ଜନ
ଧରା କରେ ସର୍ବନାଶ l 8
ଗୁଣବାନ ଜନ ଅଟେ ସୂର୍ଯ୍ୟ ସମ
ପ୍ରକଟେ ସର୍ବ ତା ଜ୍ୟୋତି
ଅଜ୍ଞାନ କି ବୁଝେ ଗୁଣର ମହିମା
ଇର୍ଷା କରି ମରେ ନିତି l 9
ଇର୍ଷାତୁର ଜନେ ଦୂରରୁ ଜୁହାର
ସାଧୁ ହୁଅ ସାବଧାନ
ମାନବ ଜାତିର ପ୍ରଧାନ ଶତ୍ରୁ ସେ
ଚି଼ହ୍ନେ ନାହିଁ କେବେ ଗୁଣ l 10
ଡଃ ପଦ୍ମଲୋଚନ ରାଉତ
ଗବେଷକ, ଇଂରାଜୀ ସାହିତ୍ୟ
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା
ମାଲକାନଗିରି l
Readers Interaction