ମହା ନାୟକ – ଡଃ ପଦ୍ମଲୋଚନ ରାଉତ

Views: 73
0 0
Read Time:5 Minute, 31 Second

ଓଡ଼ିଆ ପୁଅ ସେ ବଡ଼ ସ୍ୱାଭିମାନୀ
ଦୁର୍ବାର ଦୁର୍ଦ୍ଦର୍ଷ ବୀର
କଳିଙ୍ଗ ସାମ୍ରାଜ୍ୟେ ଐର ଖାରବେଳ
ଶାଣିତ ଯାହାର ସ୍ୱର
ଧରଣୀର କୃଷ୍ଣସାର
ଝଡ଼ର ଇଗଲ ଦକ୍ଷ ପାଇଲଟ
ମାନବ ଭିତରେ ସାର l 1

ହିମାଳୟ ସମ ଯାହାର ସାହସ
ଦୂର ଦୃଷ୍ଟି ପାରାବାର
ବିଶାଳ ବ୍ୟକ୍ତିତ୍ୱ କେ କଳି ପାରିବ
ଜାତି ପ୍ରେମୀ କର୍ମ ବୀର
ମହାନ ଜନ ନାୟକ
ଜାତି ପ୍ରେମ ବହ୍ନି ଜାଳିଛି ଭାରତେ
ଶୁଣି ସେ ମାଟିର ଡାକ l 2

ଇଣ୍ଡୋନେସିଆର ଭୂମି ପୁତ୍ର ସିଏ
ମୁକ୍ତି ସଂଗ୍ରାମର ରଥୀ
ହାରି ନାହିଁ ବୀର ଟେକି ଅଛି ଶିର
ଡାକୋଟାର ଚିର ସାଥୀ
ସେ ଦିନ ଯାଇଛି ହଜି
ମୁକ୍ତି ସଂଗ୍ରାମର ମହା ନାୟକଙ୍କୁ
ଏ ମାଟି ଖୋଜୁଛି ଆଜି l 3

ଗୁଳି ବନ୍ଧୁକକୁ ଡରି ନାହିଁ ବୀର
ବନ୍ଦୀ ସେ କାରାଗାରେ
କାପୁରୁଷ ସିନା ପଛ ଘୁଞ୍ଚା ଦିଏ
ଜିଇଁ ଥାଉଁ ଥାଉଁ ମରେ
ତା ସମ କିଏ କାହିଁ
କୋଟି ଜନତାର ତ୍ୟାଗର ପୁରୁଷ
ସେ ଅଟେ ମରଣ ଜୟୀ l 4

ବୀର ପ୍ରସଵୀନି ଉତ୍କଳ ମାତାର
ଯୋଗ୍ୟତମ ସୁତ ସିଏ
ନବ ଓଡିଶାର ସୁଦକ୍ଷ ବିନ୍ଧାଣୀ
ପାରାଦ୍ୱୀପ କଥା କହେ
ସାଧବ ବୋଇତ ମାଳେ
ପ୍ରାଚୀନ ଉତ୍କଳ ନୌ ବାଣିଜ୍ୟର
କୀର୍ତ୍ତି ଅଛି ଚିର କାଳେ l 5

କଟକରୁ ତାଙ୍କ ବିଜୟର ପଥ
ଲମ୍ବି ଥିଲା ପେଶୱାର
ବାପୁଙ୍କ ଡାକରେ ସାଇକେଲ ଚଢି
ଆସିଲେ ଓଡ଼ିଆ ବୀର
ଆଜି ସବୁ କିମ୍ବଦନ୍ତୀ
କର୍ମ ବଳେ ନର ଜିଣେ ଭୂମଣ୍ଡଳ
ଗାଏ ତାର ଯଶ କୀର୍ତ୍ତି l 6

ଉତ୍ତର ସୀମାନ୍ତେ ଜାଗ୍ରତ ପ୍ରହରୀ
ସେନା ବାହିନୀର ବଳ
ଅନନ୍ତ ଆକାଶ ଯାହାର ବିଶ୍ୱାସ
କିଏ ଜାଣେ ତାର କଳ ?
ବଇରୀ ଯାଇଛି ଫେରି
ଫର ଫର ଉଡେ ଭାରତେ ତୀରଙ୍ଗା
କିଏ ଅଟେ ତାର ସରି ! 7

ହେ ମହା ନାୟକ ପ୍ରବାଦ ପୁରୁଷ
ଏ ଜାତିର କର୍ଣ୍ଣଧାର
ତଵ ଯଶ କୀର୍ତ୍ତି ଘୋସୁ ଅଛି ଜାତି
ସ୍ମରୁ ଥିବ ନିରନ୍ତର
ଘେନ ଜାତି ପ୍ରଣିପାତ
କିଏ ନ ଜାଣିଛି ବିଜୟର ପଥ
ସବୁବେଳେ କଣ୍ଟକିତ !

ଡଃ ପଦ୍ମଲୋଚନ ରାଉତ

ଗବେଷକ ଇଂରାଜୀ ସାହିତ୍ୟ

କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l
( ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ 105ତମ ଜୟନ୍ତୀ ଅବସରରେ… )

Share this :
Next Post

ସଉତୁଣୀ - ସୌଭାଗ୍ୟ ବାରିକ

ଚାହା କୁ କରିଛି ଘରଣୀ ମୋହର କଫିମୋ ପ୍ରେମିକା ପ୍ରାଏ l ତେଣୁ ମୋ ସନ୍ଦେହୀ ପ୍ରାଣପ୍ରିୟା ଚାହା ହୁତାଶାନେ ଜଳି ଯାଏ ll ଜୀବନଟା ମୋର ଚାହାପତି ମୟ ସ୍ୱପ୍ନ ରେ ଆସଇ କଫି l ଏକ କପ୍ କଫି ସ୍ୱପ୍ନେମୁଁ ତେଣ୍ଡିଲେ ସୁପ୍ରଭାତ ହେବା କାଫି ll ମନେମନେ କେତେ ଭଲପାଏ ତାକୁ କୁହେନାଇଁ ଜାଣିଜାଣି l କହିଲେ ଘରେ ମୋ ତାଣ୍ଡବ ଯେ ହେବ ଚାହା […]

Subscribe US Now