ହଳ ଲଙ୍ଗଳ ମୋ ହେଇଗଲା ଖତ
ପଡି ପଡି ଖଳା ମୁଣ୍ଡେ ,
ବହୁଦିନ ହେଲା ଅମାର ଟା ମୋର
ଖାଇନି ଫସଲ ଗୁଣ୍ଡେ ।।
ଛଅ ମାଣ ଜମି ପଡିଆ ପଡିଛି
କରୁଛି ବାଳୁଙ୍ଗା ରାଜ,
ଧରଣୀ ମାଆଟା ଗୁମୁରି କାନ୍ଦୁଛି
ଭାଙ୍ଗୁଛି ହଳୁଆ ସାଜ ।।
ପୁଅଟା ମୋହର କହୁଛି କରିବ
କଂକ୍ରିଟ ଜଙ୍ଗଲ ଚାଷ ,
ପଇସା ପତର ଅଭାବ ହବନି
ଗଣିବନି ଆଉ ମାସ ।।
ଧରିବନି ହଳ ଭିଡ଼ିବନି ଠେକା
ବିଲରେ ଖଟୁଛି କିଏ,
ପ୍ୟାଣ୍ଟ ସାର୍ଟ ପିନ୍ଧି ଏସି ଘରେ ବସି
ଫାଇଲ ଚଷୀବ ସିଏ ।।
ଧାନ ମଣ୍ଡି ଯାଇ ଖରା ବର୍ଷା ଖାଇ
ମଳିବନି କାହା ହାତ ,
ବେପାରି ,ଦଲାଲ ଅଫିସର ଠାରୁ
ଖାଇବନି ଠିଆ ନାତ ।।
ଋଣ ଛାଡ ପାଇଁ ସରକାର ପାଖେ
କରିବନି ସିଏ ଦାବି ,
ନିର୍ବାଚନ ବେଳେ ନେତା ମନ୍ତ୍ରୀ ହାତେ
ହେବନି ଖେଳନା ଚାବି ।।
ପୁଅ କଥା ଶୁଣି ଘୁରେ ମୋର ମୁଣ୍ଡ
କାନରେ ବାଜୁଛି ଘଣ୍ଟି ,
କେଜାଣି କାହିଁକି ଏତେ ସରାଗରେ
ଚିପୁଛି ଚାଷୀର ତଣ୍ଟି ।।
ଚାଷ କାମ ଯଦି ହେଇଯିବ ବନ୍ଦ
କଅଣ ଖାଇବ ହସି ,
ମେରୁଦଣ୍ଡ ତୁମ ଭାଙ୍ଗିବ ସହଜେ
ଚାଷୀ କୂଳ ଗଲେ ବସି ।।
ଆତ୍ମାକଥା ମୋର କହୁଛି ବାଇଆ
ସତକଥା ଇଏ ପଟେ ,
କାଦୁଅ ଚକଟି ଝାଳକୁ ବୁହାଇ
ବିଲରେ କାହିଁକି ଖଟେ ।।
ନିଜ ହାତ ଭାଙ୍ଗି ଅନ୍ୟ ପେଟ ପାଇଁ
ପରିଶ୍ରମ ଯେତେ କରେ ,
ସୁନାର ଫସଲ ଦେଖିଦେଲେ ଥରେ
ଆନନ୍ଦରେ ମନ ଭରେ ।।
ସେଇ ଆନନ୍ଦକୁ ପାଇବୁନି କେବେ
ଅମୃତ ସମାନ ରାଶି ,
କୂଳ ବେଉସା କୁ ଛାଡ଼ିବୁନି ଧନ
ସମୟ ସୁଅରେ ଭାସି ।।
ସସ୍ମିତା ସାହୁ
ଥେଣ୍ଟ ପୁର,ପୁରୀ
Readers Interaction