ଆଜିକାଲି ଆମେ ସବୁବେଳେ ଚାହୁଁ
ପ୍ରଶଂସା ମିଳୁ ନିଇତି
ହେଲେ ହୋଇଥାଉ ଧୀଟ ଅବା ନୀଚ୍ଚ
ଦେଖେଇବାକୁ ହିଁ ଛାତି।
ଯେଉଁମାନେ ସଦା ବେଶି କି ପ୍ରଶଂସା
ଉପରେ ପଡି଼କି କରେ
ବୁଝିବାକୁ ହେବ ଆତ୍ମସ୍ବାର୍ଥ ଅଛି
ସେ ପାଇଁ ଅମୃତ ଝରେ।
ଆମେ ହୀନଜନ ବୁଝିପାରୁ ନାହିଁ
ପ୍ରଶଂସା କଲା କାହିଁକି
ପ୍ରଶଂସା ଲୋଡା଼ ତ ପୋତି ହୋଇଯାଉ
ବିଭୋରେ ଉଡୁ ନାହିଁକି?
ଯେତେବେଳେ ନେଡି଼ ଗୋଡ଼କୁ ବୁହଇ
ଖାଲି ଅନୁତାପ ଥାଏ
ହେଲେ ଆଉ କିଛି ନ ଥାଏ ଉପାୟ
ଖାଲେ ପଡି଼ବା ହିଁ ହୁଏ।
ପ୍ରଶଂସା ନୁହଁଇ ସମାଲୋଚନାକୁ
ଜିରାରୁ ଶିରାକୁ କାଢି଼
ଉଚିତ୍ ମାର୍ଗକୁ ଯଦି ନେଇଯିବା
ଦେବାନି ଅଧାରୁ ଛାଡି଼।
ବୁଝିକି ବୁଝୁନୁ ପ୍ରଶଂସା ହିଁ ଲୋଡା଼
ପଡି଼ଯାଉ ପଛେ ଖାଲେ
ଅଳପ ପାଇକି ବେଶି ହିଁ ହରାଉ
ହାତ ଥୋଇଥାଉ ଗାଲେ।
ଏ ସଂସାର ହାଟେ ଏହା ହିଁ ଚାଲୁଛି
ଯେତେକ ବେପାରି ଦେଖ
ଦୁଃଖମୟ ସଦା ହୃଦ ମନ୍ଦିରଟି
ସଭିଏଁ ପାଉଛୁ ଶୋକ।
ହେ ଭାଇ ଭଉଣୀ ସବୁବେଳେ ଯଦି
ସାମ୍ନାକୁ ଆଣିବା ଦୋଷ
ସଚେତନ ହୋଇ ଆଗକୁ ବଢି଼ବା
ହୃଦକୁ ଯିବନି ବିଷ।
ଦରକାର ପଡେ଼ ଫୁଲେ କି ଅତର
ନା ପକେଇବା ସଦା ହୁଏ
ଭଲ ମଣିଷ କି ପ୍ରଶଂସା ଚାହାଁନ୍ତି
ଏ ତ ଆପେ ଆସିଥାଏ?
ପ୍ରଶଂସା ମାଗିବା ଅଥବା ଚାହିଁବା
ଏହା ଅଟେ ନୀଚ୍ଚଗୁଣ
ଭଲକାମ କଲେ ପ୍ରଶଂସାର ସୁଅ
ଠିଆ ହେବ ଦଶଗୁଣ।
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction