ମଳୟ ଖୋଜୁଛି ବସନ୍ତକୁ ଏଠି
ଫୁଲ ଖୋଜେ ପ୍ରଜାପତି
ନିଦାଘ ଦାଉରେ ଖୋଜୁଛି ଫଗୁଣ
ତପନ ହସୁଚି ନିତି
ଶୁଭୁନି କୋକିଳ ସ୍ଵନ
ସପନ ବଣିକ ସାଜି ସେ ଆସିବ
ଚୁମିବାକୁ ପ୍ରିୟତମ l 1
ଆମ୍ବ ଗଛ ଏଠି ନୀରବେ ବସିଚି
କୋଇଲିର ନାହିଁ ଦେଖା
ନାଲି କୃଷ୍ଣଚୂଡ଼ା ଗୁମୁରି କାନ୍ଦୁଚି
ନଈ କୂଳ ଦିଶେ ଫାଙ୍କା
ଋତୁରାଜ ଆଗମନେ
ନିଦାଘ ତାତିରେ ତୁଷାର୍ତ୍ତ ବସନ୍ତ
ଝାଂଜି ପିଟେ ପ୍ରତିକ୍ଷଣେ l 2
ନୀଳ ଆକାଶରେ ହସୁନି ଚନ୍ଦ୍ରମା
ଆଉ ମାରୁନାହିଁ ଆଖି
ମଳୟର କାହିଁ ଏଠି ଶୀତଳତା
ବହୁଛି ନିଦାଘ ତାତି
ଫାଙ୍କା ଦିଶେ ଜହ୍ନରାତି
ଖାଁ ଖାଁ ଲାଗେ ଗାଁ ନଇ ପଠା
ଡାକରେ ଆସୁନି ଚିଠି l 3
ମଧୁମୟ କାଳ ଅଟଇ ବସନ୍ତ
ଆଉ ପଡ଼ୁନାହିଁ ଜଣା
ପ୍ରେମ ପ୍ରଣୟର ଫଗୁ ଆଲିଙ୍ଗନେ
ମନ ଦୁଃଖେ ପ୍ରିୟତମା
ଯୌବନ ମୁରୁକି ହସେ
ପ୍ରିୟତମ ଯେବେ ଲେଖି ଦିଏ ଚିଠି
ପ୍ରିୟତମା ମୁହଁ ଦିଶେ l 4
ବସନ୍ତ ରୁଷିଚି ନିଦାଘ ହସୁଚି
ଫଗୁଣ କାନ୍ଦୁଚି ବସି
ଯୌବନ ଆସିଛି ପ୍ରଣୟ ନାଚୁଚି
ମଳୟ ହେଉନି ଖୁସି
ଫଗୁଣର ଫଗୁ ଖେଳ
ବିମାନେ ଆସନ୍ତି ହସି ରାଧା କୃଷ୍ଣ
ତାତି ହୁଏ ଅସମ୍ଭାଳ l l 5
ଶୁଭୁ ନାହିଁ ଆଉ କୋଇଲିର ତାନ
ଅଭିମାନୀ ପ୍ରିୟତମା
ପ୍ରେମ ପ୍ରଣୟର ମଧୁ ସମ୍ଭାଷଣେ
ପ୍ରଣୟୀନି ଆନମନା
ଆହତ ଫଗୁଣ ଏଠି
ଜୋଛନା ପରଶେ ପ୍ରିୟତମା ଲେଖେ
ପ୍ରେମ ପ୍ରଣୟର ଚିଠି l 6
ଡ. ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା
ମାଲକାନଗିରି l
(ଗବେଷକ, ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର )
Readers Interaction