
ଧନ୍ୟ ହେ ଯନ୍ତ୍ର ମାନବ
ତୁମକୁ ଗଢି
ଏ ମାନବସମାଜ ଭାବେ
ଯେ ସେ ସବୁଠାରୁ ଉନ୍ନତ
ସବୁ କିଛି ଜାଣିଛି ସେ
ସବୁ କିଛି କରିପାରେ ତା ବୁଦ୍ଧିରେ
ଏହା ସତ୍ୟ
କିନ୍ତୁ
ବେଳେବେଳେ ସେଇ ମଣିଷ ବି ଧୋକା ଖାଏ
ଏ ଯନ୍ତ୍ର ମାନବ ପାଖରେ
ହାରିଯାଏ ତା ବୁଦ୍ଧି
ହୋଇପଡେ ଦିଗହରା
ହରାଇ ବସେ
ଆତ୍ମନିର୍ଭରଶୀଳ
ନିର୍ଭର କରେ ତୁମକୁ ପ୍ରତେକ କ୍ଷେତ୍ରରେ
ଖୋଜିବୁଲେ
ସବୁ ମୁହୂର୍ତ୍ତରେ….
ସାମାନ୍ୟତମ ଜୀବନର ଅଙ୍କକୁ
ସମାଧାନ ପାଇଁ ଖୋଜିବୁଲେ ତୁମର ସାହାରା
ସତେ ଯେମିତି
ମେଘ ବିନା ମୟୁର
ଜହ୍ନ ବିନା କଇଁ
ସାଥି ବିନା ସ୍ମୃତି
ଆଉ ଏ ଯନ୍ତ୍ର ମାନବ ବିନା ମଣିଷ
ସବୁଠାରେ
ବଢିଚାଲେ ଆଦର
ନିର୍ଭୁଲ, ସୁରକ୍ଷିତ ରହିବା ଆଶାରେ
ଭରସା କରିଥାଏ ତୁମକୁ
ଜୀବନ ଓ ଜୀବିକାର ପରୀକ୍ଷା ମଧ୍ୟ
ଖୋଜିହୁଏ ଏ ଯନ୍ତ୍ର ମାନବକୁ
ଆଉ
ନିର୍ଣ୍ଣୟ କରିଥାଏ
ସାଗରର ଗଭୀରତା
ଆକାଶର ବିସ୍ତିର୍ଣ୍ଣତା
ସେଥିପାଇଁ ତ
ଆଜିର ଶିଶୁ
ବୁଝୁନି
ମା’ର ମମତା
ବାପାଙ୍କ ଆବଶ୍ୟକତା
ଆଇର ଗପପେଡି
ଆଉ ଅଜାଙ୍କ ଘୋଡାଗାଡି
ହଜାଇଦେଉଛି ନିଜକୁ
ଏକ ଯନ୍ତ୍ର ମାନବର କୋଳରେ
ସେଠାରେ ଖୋଜୁଛି,
ନିଜର ସମ୍ପର୍କକୁ
ଫେସବୁକ, ହ୍ଵାଟ୍ସଆପ ଏବଂ ଟୁଇଟର ମାଧ୍ୟମରେ
ଚିହ୍ନାଲାଗେ ଅଚିହ୍ନା ମାନବ
ହୋଇଯାଏ ଅତି ଆପଣାର
କିନ୍ତୁ ଭାଇ ହୋଇଯାଏ ଭଗାରୀ
ହଜାଇ ନିଜର ଠିକଣା ……..
ହଜାଇ ନିଜର ଠିକଣା ………
ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା – କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ
ମୋ :-9090700601
ଖୁବ୍ ଚମତ୍କାର