ଚରଣ ଯାହାର ହରଷେ ଧୋଉଛି
ପୂରୁବେ ବଙ୍ଗ ସାଗର
ଉତ୍କଳ ମାତାର ସ୍ୱାଭିମାନ ଭୂମି
ଏଇ ସେଇ ବାଲେଶ୍ୱର
ବଳଙ୍ଗ କଟି ମେଖଳା
ସୁବର୍ଣ୍ଣରେଖାର ସ୍ବର୍ଣ୍ଣ ବାଲି ଧାରେ
ଭୂଷଣ୍ଡେଶ୍ଵରଙ୍କ ଲୀଳା l 1
ଭକ୍ତ ପାଇଁ କ୍ଷୀର କରିଛନ୍ତି ଚୋରି
ରେମୁଣାର କ୍ଷୀର ଚୋରା
ଚନ୍ଦନେଶ୍ୱରର ଘଣ୍ଟ ପାଟୁଆ
ବିଖ୍ୟାତ ଉଡ଼ା ଯାତରା
ପାନ -ମୀନ -ଧାନ ଧରି
ଲକ୍ଷ୍ମୀ ସାଆନ୍ତାଣୀ କରିଛନ୍ତି ବିଜେ
କ୍ଷେତ ସବୁଜିମା କରି l 2
ପଞ୍ଚଲିଙ୍ଗେଶ୍ୱରେ ପୂଜା ପାଉଛନ୍ତି
ପାଞ୍ଚ ଭାଇ ମହାଦେବ
ଗୁଡ଼ ଗ୍ରାମରେ ଦେବ ହଳଧର
ଜାଣନ୍ତି ଭକତ ଭାବ
କାଂଶ ବାଂଶ ସ୍ରୋତସ୍ବୀନୀ
ସୋଣ ଗଙ୍ଗାହାର କେତେ ନଦନଦୀ
ପୁଣ୍ୟତୋୟା କର୍ମ ଭୂମି l 3
ଗରବେ ଟେକିଛି ଶିର ସ୍ବର୍ଣ୍ଣଚୂଡ଼
ନୀଳଗିରି ପରବତ
ଇଂଚୁଡ଼ି ଭାଙ୍ଗିଛି ଲବଣ ଆଇନ
ଗାଈ ମୁକତିର ଗୀତ
ବାପୁଜୀଙ୍କ ଆଗମନେ
ଦେଶ ପ୍ରେମର ଦୁନ୍ଦୁଭି ଶୁଭିଚି
ଏ ମାଟିରେ ଗ୍ରାମେ ଗ୍ରାମେ l 4
ଭାଷା ସାହିତ୍ୟର ‘ଏନ୍ତୁଡ଼ି ଶାଳ’
ଜାଳି ଦେଶ ପ୍ରେମ ବହ୍ନି
ବାଣୀ ସାଧକ ଶାଶ୍ୱତ ନାୟକ
ଫକୀରର କର୍ମ ଭୂମି
ସିଂହ ଗର୍ଜନ କରି
ଜାତି ଦ୍ରୋହିଙ୍କୁ ଦେଇଛି ଜବାବ
ନ କରି ହାରି ଗୁହାରୀ l 5
ଜନ୍ମିଛନ୍ତି ରାଧାନାଥ କବିବର
ଆଧୁନିକ ସୂତ୍ର ଧର
ଭାଷା ସାହିତ୍ୟର ତ୍ରିବେଣୀ ସଙ୍ଗମ
ପୁଣ୍ୟ ଭୂମି ବାଲେଶ୍ୱର
ରଖିଛି ଜାତିର ଟେକ
ଏ ମାଟିର ପୁଅ ବଡ଼ ସ୍ୱାଭିମାନୀ
ଓଡ଼ିଆ ଭାଷା ବାହକ l 6
ତ୍ୟାଗ ଆଉ ବଳିଦାନର ଏ ଭୂମି
ଯାଇ ନାହିଁ ବାଘା ହାରି
ଆଜି ବି ଶୁଭୁଚି ଏ ମାଟିର ଡାକ
ଅରି ଯାଇଅଛି ଫେରି
ଜାଗି ଉଠେ ବୀର ମାଟି
ବିପ୍ଳବର ବହ୍ନି ଜାଳିଛି ମରତେ
ଗରବେ ଫୁଲାଇ ଛାତି l 7
ସଂଗ୍ରାମ ମାଟି ଏଇ ବୀର ଭୂମି
ଗାଏ ସ୍ୱାଭିମାନ ଗାଥା
କର୍ପୁର ସିନା ଯାଇଅଛି ଉଡି
କନା କହେ ତାର କଥା
ଭାଷାର ସୁରକ୍ଷା ପାଇଁ
କେତେକେତେ ରଥୀ ସଂଗ୍ରାମରେ ମାତି
ଲଭିଛନ୍ତି ବିଶ୍ୱ ଜୟୀ l 8
ଡ଼. ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l
(ଗବେଷକ, ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର )
Readers Interaction