ଜାଗର – ଡ଼. ପଦ୍ମଲୋଚନ ରାଉତ

Views: 17
0 0
Read Time:3 Minute, 52 Second

ଜାଗ୍ରତ ହୁଅ ପୁର ବାସୀ ଆଜି
ଜାଗର ପ୍ରଦୀପ ଜାଳି
ଯେତେ ଅଛି ଇର୍ଷା ଗର୍ବ ଅହଂକାର
କ୍ଷଣିକେ ଯାଉ ଜଳି
ଦୂର ହେଉ ଅନ୍ଧକାର
କୈଳାସ ନିବାସୀ ଦର୍ପ ବିନାଶୀ
ଆସିବେ ଡମ୍ବରୁ ଧର l 1

ନିଶି ଉଜାଗର ଜାଳି ଜାଗର
ଆଲୋକିତ କର ଧରା
ଅପସରି ଯାଉ ପ୍ରତିଟି ପରାଣୁ
ରୋଗ ଶୋକ ବ୍ୟାଧି ଜରା
ଶିବ ଆରାଧନା କରି
ମଙ୍ଗଳମୟଙ୍କ ଶ୍ରୀପଦ ଯୁଗଳେ
ଝରୁ କରୁଣା ବାରି l 2

ଜୀବନ ପଥ ମୋ ହେଉ ଆଲୋକିତ
ଉଚ୍ଚାରି ଶାନ୍ତିର ବାଣୀ
ସକଳ ଯାତନା ଦୁଃଖ ବେଦନା
ବ୍ୟଥା ଆତୁର ପୁଣି
ପରଂବ୍ରହ୍ମ ଆତ୍ମ ଜ୍ୟୋତି
ମହା ଦୀପ ଜଳେ ଦେବାଳୟ ଚୂଳେ
ଜନମ ମରଣ ସାଥୀ l 3

ହର ହର ଦେବ ସ୍ୱୟମ୍ଭୁ ଶଙ୍କର
ନୀଳ କଣ୍ଠ ଆଶୁତୋଷ
ସମର୍ପି ପରାଣ କରୁଛି ସ୍ମରଣ
ପାନ କରି ସବୁ ବିଷ
ଉମା ପତି ମହେଶ୍ୱର
ସ୍ୱାର୍ଥ ଭାବ ତେଜି ସକଳ ମନରୁ
ଜଗତ ଉଦ୍ଧାର କର l 4

ପାପ ଭାର ବଢେ ଦିନୁ ଦିନ ଆଜି
ମଣିଷ ପଣିଆ ଯାଉଛି ହଜି
ମାନବ ଗୁଡାକ ଦାନଵ ହେଲେଣି
ପ୍ରେମ ବିଶ୍ୱାସ ଗଲାଣି ଭାଜି
ଜଳେ ଅଶାନ୍ତିର ନିଆଁ
ହେ ପଶୁପତି ପାର୍ବତୀ ପତି
ତାଣ୍ଡବ କରୁନ କିଆଁ ? 5

ରହି ଉଜାଗର ଜାଳୁଛି ଜାଗର
ଜାଳିଦିଅ ମୋର ସକଳ ପାପ
ନିରନ୍ତର ଜଳୁ ମୋ ହୃଦ ପ୍ରଦୀପ
ଆଲୋକିତ ହେଉ ସାରା ମୁଲକ
କିବା ଅଛି ପ୍ରୟୋଜନ
ହରି ନିଅ ହର ସକଳ ଅନ୍ଧାର
ପ୍ରାଣେ ଭରି ଦିବ୍ୟ ଜ୍ଞାନ l 6

ଡ଼. ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l
( ଗବେଷକ, ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର )

Share this :
Next Post

ବାବା ଚନ୍ଦ୍ରକଳ୍ପେଶ୍ୱର - ଜଗନ୍ନାଥ ଚୌଧୁରୀ

ନୂଆପେଣ୍ଠ ଗ୍ରାମ ମଧ୍ୟ ଭାଗେ ଅଛି ପ୍ରସିଦ୍ଧ ଶିବ ମନ୍ଦିର ମନ୍ଦିରରେ ରହି ପାଉଛନ୍ତି ପୂଜା ବାବା ଚନ୍ଦ୍ରକଳ୍ପେଶ୍ୱର ।। ପ୍ରଦୀପ,ବାବୁଲା,ରୁବୁଲା ଓ ବୁଲା ପୂଜକ ଏ ମନ୍ଦିରର ବାବାଙ୍କ ସେବାରେ ସଦା ନିୟୋଜିତ ସତେ କି ଭାଗ୍ୟ ତାଙ୍କର ।। ଶିବରାତ୍ରି ଦିନ ମନ୍ଦିର ପ୍ରାଙ୍ଗଣ ହୁଏ ଉତ୍ସବ ମୁଖର କାହିଁ କେତେ ଦୂରୁ ଆସନ୍ତି ଭକତେ ପାଳିବା ପାଇଁ ଜାଗର ।। ଡ଼ାକିଲେ ଶୁଣନ୍ତି ସହାୟ ହୁଅନ୍ତି […]

Subscribe US Now