ଆହେ ପ୍ରଭୁ ଆଶୁତୋଷ ଭାବଗ୍ରାହୀ ଭକ୍ତ ବଶ
ଆଜି କି କରିବି ଅଳି ଜାଗର ଜାଳି
ତୁମେ ପରା ଜଗଦୀଶ ମନ ତୁମ ଆଜି ହର୍ଷ
ମନ୍ଦିର ପ୍ରାଙ୍ଗଣ ତୁମ ଉଠଇ ଝଳି
ଦୀପ ମାଳା ହରଷ ଭରେ
ଆଲୋକ ବିତରି ପ୍ରଭୁ ଅନ୍ଧାର ହରେ।
ନଭଦେଶେ ଦେବଗଣ କରି ମନ୍ତ୍ର ଉଚ୍ଚାରଣ
ଦରଶନ କରୁଛନ୍ତି ଊମା ମହେଶ
ହରି ଭକ୍ତ ହରନାଥ ବ୍ଯାକୁଳିତ ମନୋରଥ
ହରି ସଙ୍ଗେ ହର ଭେଟ ରହିଛି ଆଶ
ବିଭାବରୀ ଅପଲକରେ
ସମୟ ରହିଛି ଟାକି ଶୁଭ ଲଗ୍ନରେ।
ମହାଦୀପ ସଜ ହୋଇ ହରଷେ ରହିଛି ଚାହିଁ
ଶୁଭକ୍ଷଣ ଉପନୀତ ହେଲେ ମହୀରେ
ଆନନ୍ଦେ ଭକତ ଜନ ଶୁଦ୍ଧ ପୁତ ବିତ୍ତ ମନ
ବସାଇବେ ତାକୁ ନେଇ ଯଥା ସ୍ଥାନରେ
ହୁଳହୁଳି ଶଙ୍ଖ ଧ୍ବନିରେ
ମୁଖରିତ ହେବ ବିଶ୍ବ ନିଶାଅନ୍ତରେ।
ଯୋଡ଼ି ମୋର ବେନିକର ଆକୁଳ ମୀନତି ହର
ଅକିଞ୍ଚନେ କର ଦୟା କୃପା ସାଗର
ଭଜୁଥିବି ତବ ନାମ ନେବ ମୋତେ ତୁମ ଧାମ
ଆଶ୍ରିତ ମୁଁ ଜାଳୁଥିବି ନିତି ଜାଗର
କ୍ଷୁଦ୍ର ଏହି ହୃଦ କନ୍ଦରେ
ଜଣାଣ ମୋ ଘେନାକର ମନ ମନ୍ଦିରେ।
ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦
Readers Interaction