ଚାଷକୁ ଜୀବିକା ଯେ କରିଥାଏ
କୃଷକ ବୋଲି ତାଙ୍କୁ କୁହାଯାଏ
ଖରା ବର୍ଷା ଶୀତକୁ ଏକ କରି
କ୍ଷେତରେ ପରିଶ୍ରମ କରେ ଭାରି
ମାଟି କାଦୁଅରେ ମିଶି ତ ସିଏ
କ୍ଷେତ ବାଡ଼ିରେ ସୁବର୍ଣ୍ଣ ଫଳାଏ
ସବୁରି ମୁହଁରେ ଆହାର ଦେଇ
ମାନବ ଜାତିକୁ ରଖେ ବଞ୍ଚାଇ
ବନ୍ୟା ବାତ୍ୟା ମରୁଡି ଶତ୍ରୁ ତାର
ନଷ୍ଟ କରେ ଫସଲ ବର୍ଷକର
ମେଘକୁ ଚାହିଁ ପୁଣି ଚାଷ କରେ
ବର୍ଷା ନହେଲେ ସବୁ କଥା ସରେ
କଠୋର ପରିଶ୍ରମ ବୃଥା ଯାଏ
ଧାର କରଜେ ବହୁ କଷ୍ଟ ପାଏ
ବର୍ଷତମାମ ଅଭାବରେ ରହି
ଦୁଃଖ ଯନ୍ତ୍ରଣା ପାରେ ନାହିଁ ସହି
ଚାଷୀ ଆତ୍ମହତ୍ୟା ଭଳି ଘଟଣା
ବିଭିନ୍ନ ସମୟରେ ଯାଏ ଶୁଣା
କୃଷି ପାଇଁ ଭିତ୍ତିଭୂମି ଅଭାବ
ଏଣୁ ଚାଷ ପ୍ରତି ବିମୁଖ ଭାବ
ଚାଷ ପାଇଁ ଇଛା ନାହିଁ କାହାରି
ସଭିଏଁ ଖୋଜନ୍ତି ଖାଲି ଚାକିରି
ଉନ୍ନତି ପାଇଁ ଚାଷୀ ଓ ଚାଷର
ଅଧିକ ପ୍ରୋତ୍ସାହନ ଦରକାର
ସୁବିଧା ସୁଯୋଗ ବଢିଲେ ଯାଇ
ଚାଷୀ ମାନେ ହୀନସ୍ତା ହେବେ ନାଇଁ
ଯୁବ ପିଢ଼ି ଚାଷକୁ ଧ୍ୟାନ ଦେଲେ
କୃଷକ ବୃତ୍ତି ଗ୍ରହଣ କରିଲେ
ନିଶ୍ଚିତ ଦେଶ ଉନ୍ନତି କରିବ
ବେକାରୀ ସମସ୍ୟା ଯେ ଦୂର ହେବ
ଚାଷ ହିଁ ସବୁଠାରୁ ବଡ଼ ସେବା
ଶପଥ କରି ଆମେ ଚାଷୀ ହେବା
ଭବାନୀ ଶଙ୍କର ଗିରି,
ଆମ୍ବଡ଼ିହା,ମୟୁରଭଞ୍ଜ
Readers Interaction