Read Time:1 Minute, 48 Second
ତୁମକୁହ ଯାହାକୁ ବେଦନା ର ଭୂଗୋଳ
ନିଃସ୍ବ ପ୍ରତିଛବି ପାଖେ ଜୀବନ ତମସା
ମୁଁ କୁହେ ସେ ଅପେକ୍ଷିତ ସବୁଜ ସକାଳ
ସ୍ବାଗତ ବୈଭବ ଆଙ୍କେ ଆଲୋକ ର ଦିଶା ।।
ତୁମପାଖେ ଲେଖା ଯାହା ଶୂନ୍ୟ ଇସ୍ତାହାର
ଅସଜଡା ଭାଗ୍ୟରେଖା ଶ୍ରୀହୀନ ପରିଧି
ମୋ ଆଖିରେ ଅମୋଘ ମୂହୂର୍ତ୍ତ ସେ ଆତ୍ମସମୀକ୍ଷାର
ଶାନ୍ତ ଆଭରଣେ ଦୃଢ଼ ସଂକଳ୍ପ ଅବଧି ।।
ବଇଶାଖି ଅନଳରେ ଦଗ୍ଧ ସର୍ତ୍ତାବଳୀ
ତୁମେ କହିଥାଅ ଯାହା ଅଭିଶପ୍ତ ଆୟୂ
ମୋ ଦୃଷ୍ଟିରେ ନିର୍ଣ୍ଣାୟକ ପୂଣ୍ୟ ପଦ୍ୟାବଳୀ
ଅବଶିଷ୍ଟ ପ୍ରାରବ୍ଧ ର ପୁଲକିତ ସ୍ନାୟୁ ।।
ନିୟତି ଆଦର ପାଖେ ନିଷ୍ଠୁର ସତ୍ୟତା
ତୁମ ସୀମାନ୍ତ ରେ ମୋର ଏମିତି ଭିନ୍ନତା ।।
ସସ୍ମିତା ପଣ୍ଡା
କଟିକଟା, କଟକ
Readers Interaction