ଯେ ଦେଶରେ ସୀତା ମନିଶା ନିର୍ଭୟା
ଆଖିରୁ ଗଡା଼ନ୍ତି ଲୁହ
ଶତ ଶତ ସୀତା ନିତି ନିର୍ଯ୍ୟାତିତା
ରାମ ରାଜ୍ୟ କିମ୍ପା କୁହ ? 1
ସତ୍ୟ ଧର୍ମ ଶାନ୍ତି ନ୍ୟାୟ ସୁବିଚାର
ରାମ ରାଜ୍ୟ ଭିତ୍ତି ଭୂମି
ଲମ୍ବା ଭାଷଣରେ ସପନ ଦେଖାନ୍ତି
ରାମ ନାମ ଭଣି ଭଣି l 2
ଏ ଦେଶରେ ସୀତା ହୁଏ ଧର୍ଷିତା
ସୁରା -ସାକୀ ରାଜନୀତି
କୁହାଳିଆ ନେତା ଜଳକା ଜନତା
ଦୁର୍ବଳା କି ନାରୀ ଜାତି ? 3
ସକାଳ ଠୁଁ ସଞ୍ଜ ସବୁଠି ବୁଲନ୍ତି
ଶତ ଶତ ଦଶାନନ
ସ୍ୱାଧୀନ ଭାରତେ ଏ ଲଙ୍କା ଗଡ଼ରେ
ଶୁଭିଲାଣି ରାମ ନାମ ? 4
ଗୁଣ୍ଡା ବଦମାସ ଶାସକ ବାପୁଡା
ଧପାବାଜ ଶଇତାନ
ରାମ ରାଜ୍ୟର ଗାଥା ଗାଇ ଗାଇ
କ୍ଷମତାରେ ବଳିୟାନ l 5
ମନ୍ଦିର ବାହାରେ କେତେ ନିର୍ଯାତିତା
କାନ୍ଦୁଛନ୍ତି କଇଁ କଇଁ
ଶାସକ ବାପୁଡା ଗର୍ଜନ କରୁଛି
ବେଟି ବଞ୍ଚେଇବା ପାଇଁ l 6
ଯେ ଦେଶେ ଶାସକ ସୁରା ସାକୀରେ
କରେ ହୀନ ରାଜନୀତି
ଲମ୍ବା ଭାଷଣରବାକ୍ୟ ବୀର ସେ
ଧନ୍ୟ ତା’ର ଦେଶ ପ୍ରୀତି ? 7
ଲମ୍ବା ଭାଷଣରେ ଦେଶର ପ୍ରଗତି
ଆସିବ କି କେବେ କୁହ
କଥା କୁହାଳିଆ ଜାତିର ବଇରୀ
କ୍ଷମତାରେ ତା’ର ମୋହ l 8
କାମୁକ କବଳେ ଶତ ଶତ ସୀତା
ପ୍ରତିଦିନ ନିର୍ଯ୍ୟାତିତ
ଭବ୍ୟ ମନ୍ଦିର ତୋଳିଲେ କି ସତେ
ଘୁଞ୍ଚିବ ଜାନକୀ ଦୁଃଖ ? 9
ମନିଶାର ଚିତା ଜଳୁଛି ଜୁଇରେ
ନିର୍ଭୟା କାନ୍ଦୁଚି ଏଠି
ଭାବିଚି ବାପୁଡା ମନ୍ଦିର ତୋଳି
ରଖିବ ଅମର ଖ୍ୟାତି ? 10
ଯେ ଦେଶରେ ସୀତା ନୁହେଁ ସୁରକ୍ଷିତା
ମନ୍ଦିର କି ପ୍ରୟୋଜନ
ଭାଷଣରେ ଆସିବ କି ରାମ ରାଜ୍ୟ
ଲଙ୍କାରେ ହରି ନାମ ? 11
ରାମ ନାମ ଜପି ମନ୍ଦିର ତୋଳିଲେ
ଆସିବ କି ରାମ ରାଜ୍ୟ
କହି କି ପାରିବ ନଂପୁଶକ ଗଣ
ମୁଖେ ଅଛି ଯଦି ଲାଜ ? 12
ରାମ ରାଇଜର ସ୍ବପ୍ନ ଦେଖିଥିଲେ
ଜାତିର ଜନକ ବାପୁ
ଜୀବନ ହାରିଲେ ବନ୍ଧୁକ ଗୁଳିରେ
ରାମ ରାଜ୍ୟ ଦେଖୁ ଦେଖୁ l 13
ରାମ ରାଜ୍ୟ ଅଟେ ପୁରାଣ କାହାଣୀ
ସୀତା ସଦା ନିର୍ବାସିତା
ସ୍ୱାଧୀନ ଭାରତେ କାମନା ଜୁଇରେ
ଜଳୁଛି ନିର୍ଭୟା ଚିତା l 14
ମୋ ଦେଶରେସୀତାହେବେସୁରକ୍ଷିତା
ତୋଳିଲେ ଭବ୍ୟ ମନ୍ଦିର
ରାମ ରାଜ୍ୟ କେବେ ଆସିବ କି ଦେଶେ
ତୁମ ଲମ୍ବା ଭାଷଣର ? 15
ଡଃ ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ, ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା, ମାଲକାନଗିରି l
Readers Interaction