ଆଧୁନିକତାର ସ୍ପର୍ଶ ଲିଭାଇଛି ମନୁ
ସବୁଜ ପରିବେଶର ମୋହ,
ମିଳୁନାହିଁ ଆଜି ଶୁଦ୍ଧ ସମୀରଣ
ହଜିଲାଣି ମହୀରୁହ || …..(୧)
ଯୁଆଡ଼େ ଦେଖିଲେ ବଡ଼ ବଡ଼ କୋଠା
ଯାନବାହନର ଭିଡ଼,
ଦିଶୁନାହିଁ ଆଉ ଛୋଟ ଛୋଟ ତୃଣ
ଅବା ବୃକ୍ଷ ବଡ଼ ବଡ଼ || …..(୨)
ଦଗ୍ଧ ହୋଇଲାଣି ସମଗ୍ର ଭୁବନ
ସବୁଜ କାନନ ବିନୁ ,
ଅଶ୍ରୁ ନୁହେଁ ବହ୍ନି ଝରୁଅଛି ଆଜି
ବସୁଧା ମାତା ନୟନୁ || …..(୩)
ଆଖି ଖୋଲାକରି ମଣିଷ ଜାତିଟା
ଶୋଇ ଦେଖେ ନାନା ସ୍ୱପ୍ନ,
ସଚେତନ ହୋଇ ବିପଦ ବରଇ
ବଞ୍ଚି ବି ପିନ୍ଧେ କଫିନ || …..(୪)
କାହାକୁ କହିବା କିଏ ବା ବୁଝିବ
ସଭିଏଁ ତ ଆଜି ବ୍ୟସ୍ତ ,
ନିଜ ପାଦେ ନିଜେ କୁରାଢ଼ୀ କୁ ମାରି
ପିଉଛନ୍ତି ନିଜ ରକ୍ତ || …..(୫)
ଚେଇଁ ଶୋଇଗଲି ମନ ର ମୁଣା ରେ
ନିଜ ଭାବନା କୁ ରଖି ,
ପଙ୍ଖା ଖୋଲି ଦେଇ ବସିଗଲି ହାତେ
ଧରି ଗୋଟେ କପ୍ କଫି || …..(୬)
ଦୀପଶିଖା ପ୍ରଧାନ
ଗଉଡ଼ପଦା ପାଟଣା, ବାଙ୍କୀ, କଟକ
Readers Interaction