ହେ ବନ୍ଧୁ, ଅନ୍ଧାରକୁ ଦେଖ!
କଜ୍ଜ୍ଵଳ- କଳା ବାଦଲ ଛାଇରେ
ରୁନ୍ଧି ହୋଇ ପଡ଼ୁଛି ରାତ୍ରିର ଆୟୂଷ, ନା
ଚକୋର – ଚାକୋରୀର ଲୁହରେ
ବହି ଯାଉଛି ଶବ୍ଦଙ୍କର ନଈ।
ହେ ବନ୍ଧୁ, ନଈଟିକୁ ଦେଖ!
କୁଢ଼ କୁଢ଼ ସଢା ଶବର
ଉଦ୍ ବେଳିତ ଆବର୍ଜନାରେ ଚହଲୁଛି ଜଳ,
ତୁମ ଶଙ୍କିତ ମନର ଗୁମ୍ଫାରେ
ପାପର ତଲୱାର ଭଳି ।
ହେ ବନ୍ଧୁ, ଭୋକିଲା ବାଘ ପେଟରୁ
ଉକୁଟି ଉଠୁଛି ଏବେବି ମରଣର ଗନ୍ଧ
ଦୁଲୁକି ଉଠୁଛି ମୋର ବଞ୍ଚିବାର ଡାଳ
ତୁମ କପଟ – ପଶାରେ, ବିଟପୀ ଆକ୍ଷିରେ, ନା
ପତ୍ରଙ୍କର ଅବିରତ ଉତ୍ତାଳ ନୃତ୍ୟରେ
ପାପ-ପୂଣ୍ୟର ବିଚାରକ ବୋଲି ଆଶ୍ରା ଦେଇଥିଲି ଯେ
ନିର୍ବିକାର ଚିତ୍ତରେ ଏବେ ଠେଲି ଦେଉଛ
ଆସନ୍ନ ମୃତ୍ୟୁର ଦୃପ୍ତ – ଗହୀର – କ୍ଷେତକୁ
ଅବିବେକୀ, ବିମୂଢ – ହସରେ ତୁମ ସଂଚରୁଛି
ଅବିଶ୍ୱାସ ଢେଉଙ୍କର ବିବସ୍ତ୍ର – କଙ୍କାଳ, ନା
ସତରେ ଜଳୁଛି ମହାବଳର ପେଟ
ଅନନ୍ତ କ୍ଷୁଧାରେ!
ତେଣୁ ଏବେବି ସମୟ ଅଛି
ବନ୍ଧୁତ୍ୱର ସେତୁଟିକୁ ଭାଙ୍ଗିବା ପୂର୍ବରୁ
ପୁଣି ଥରେ ସଜାଡି ନିଅ
ବନ୍ଧୁତ୍ୱର ବିଲୁପ୍ତ ସାମ୍ରାଜ୍ୟ
ଦେଖ, ମହାକାଳର ମହାବଳ
ଭ୍ରୁକୁଟିଆ ସମୟର ପାଦକୁ କେମିତି ଚାଟୁଛି।
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ଆର୍. ସି ରୋଡ, ମରାଠୀ ସାହି
ଭଞ୍ଜନଗର, ଗଞ୍ଜାମ, 761126
Readers Interaction