ଯେବେ ଆସେ ବର୍ଷା ଆମରି ଗାଁକୁ
ଦୂର ତାଳ ବଣ ଡେଇଁ
ଘୋଟେ କଳା ମେଘ ଅନନ୍ତ ଆକାଶେ
ସରେ ଫୁଟେ ନୀଳ କଇଁ
ଶଙ୍ଖଚିଲ ଯାଏ ଉଡି
ବାହୁଡନ୍ତି ଗୋଠ ହୋଇ ତର ତର
ମାରେ ଯେବେ ଘଡଘଡି l 1
ମୋ ଗାଁ ଦାଣ୍ଡରେ ରିମଝିମ ସ୍ଵରେ
ବର୍ଷା ଯେବେ ଯାଏ ନାଚି
ଗହୀର ପାଟରେ ବିଜୁଳି ଚମକେ
ନୂଆ ବୋହୁ ଦେଖେ ଲୁଚି
ମୁହଁରେ ଓଢଣା ଦେଇ
ଘର ପାଇଟି କରୁଥାଏ ସଦା
ତା’ ସମ କିଏ କାହିଁ ? 2
ଗିରିଷମ ଅନ୍ତେ ଆଷାଢ଼ ଆସନ୍ତେ
ମଉସୁମୀ ଆସେ ଧୀରେ
ଉତ୍ତରା ପବନ ଚୁମି ଦିଏ ଯେବେ
ଅମୃତ ବାରି ଝରେ
ଚଷା ପୁଅ ମନ ଖୁସି
ସବୁଜ ପଣତ ଉଡାଇ ତା କ୍ଷେତ
ଡାକୁଥାଏ ହସି ହସି l 3
ମୁଣ୍ଡରେ ପଖିଆ ହାତେ ଧରି ବାଡ଼ି
କ୍ଷେତେ ଚାଲେ ଚଷା ପୁଅ
ଟୁପୁରୁ ଟୁପୁରୁ ବରଷଇ ମେଘ
ଆଖିରେ କିମ୍ପା ତା ଲୁହ ?
ପୂରେ ନାହିଁ ତାର ପେଟ
ସଞ୍ଜବତୀ ଜାଳି ଘରଣୀ ତାହାର
ଚାହିଁ ବସିଥାଏ ବାଟ l 4
କଳା ମେଘେ ଉଡି ଧଳା ବଗ ପଲ
ଦୂର ଚକ୍ରବାଳେ ମିଶେ
କେତକୀ -ମାଳତୀ କେତେ ଫୁଲ ଫୁଟି
ମହ ମହ ହୋଇ ବାସେ
ଗାଁର ବରଷା ଧାରା
ମନେପଡେ ମୋର ପିଲାଦିନ ସ୍ମୃତି
କେଡେ ଆପଣାର ପରା ! 5
ଟପ ଟପ ହୋଇ ଝରି ପଡେ କେତେ
ଓଳିରୁ ବରଷା ବାରି
‘ଭାସି ଯାଆ ମୋର କାଗଜ ଡ଼ଙ୍ଗା ‘
ଜଣା ପଡେ କାଲି ପରି
ବାଡ଼ରେ ଅପରାଜିତା
ବରଷା ଆସିଲେ ଉତ୍ତର ଦିଗରୁ
ମନେପଡେ ଗାଁ କଥା l 6
ଗାଁ ଗୋହିରିରେ ଛୁଟେ ପାଣି ସୁଅ
ଦୂରେ ହସେ ଧାନ କ୍ଷେତ
କାଳିଆ -ବଳିଆ କ୍ଷେତରେ ବୁଲନ୍ତି
ଆସଇ ଗୁଣ୍ଡିଚା ଯାତ
ଝିପି ଝିପି ଝରେ ବାରି
ଘଡଘଡି ମାରେ ବିଜୁଳି ଚମକେ
ସ୍ମୃତି ଅଟେ ଅସୁମାରୀ l 7
ଡ. ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l
( ଗବେଷକ, ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର )
Readers Interaction