ଅନ୍ନଦାତା ସାଜିଛି ମୁଁ ଏଇ ଜଗତର
ତଥାପି ଭୋକିଲା ରହେ ମୋ’ରି ଉଦର
ମୁଣ୍ତ ଝାଳ ମାରି ତୁଣ୍ତେ କରେ ଉତ୍ପାଦନ
ହେଲେ ମିଳେ ନାହିଁ ମତେ ଟିକିଏ ସମ୍ମାନ॥
ବିତିଯାଏ ଦିବା ନିଶି ମାଟି କୁଡିଆରେ
କରେନି ଅଭିଯୋଗ କେବେ କାହା ପାଖରେ
ଜୀବନେ ଭରିଛି ମୋର କେତେ ଯାତନା
ଶୁଣିବାକୁ କେହି ନାହାନ୍ତି ସେହି ବେଦନା॥
ନ ମିଳୁ ପଛକେ ମତେ ଉନ୍ନତ ବିହନ
ଅବା ଅତ୍ୟାଧୁନିକ ଉପକରଣମାନ
ସେଥିପାଇଁ ନ ରଖି ଅନୁଶୋଚନା ମନେ
ସୁନାର ଫସଲ ଭେଟି ଦେଇଥାଏ ଜନେ॥
ପ୍ରକୃତି ରାଣୀର କେତେ ଭିନ୍ନ ଭିନ୍ନ ରୂପ
ପରିବର୍ତ୍ତିତ କରି ଦିଏ ମୋ’ରି ସ୍ବରୂପ
କେବେ ବୈଶାଖର କୋପ କେବେ ବର୍ଷା ଧାରା
ସର୍ବେ ସାଧିଥା’ନ୍ତି ଦାଉ ମୋ ଉପରେ ପରା॥
ବନ୍ୟା,ବାତ୍ୟା,ମରୁଡି,ଚକଡା,ପଙ୍ଗପାଳ
ଭାଙ୍ଗି ଦେଇଥାନ୍ତି ପଲକରେ ମନୋବଳ
ଅମଳ ପରେ ଧାନ ମଣ୍ତିରେ ହୁଏ ଗଜା
ପରିଶ୍ରମ ମୂଲ୍ୟ ସ୍ବରୂପ ମିଳଇ ସଜା॥
ମୋ ପାଇଁ ଯୋଜନା ବନ୍ଦୀ ନାଲି ଫିତା ତଳେ
ଅସଲ ଜୀବନରେ କେବେ କିଛି ନ ମିଳେ
ସରକାରୀ ସହାୟତା ସାଜିଛି ଭେଳିକି
କାଳିଆ ଟଙ୍କା ସତେ କି ଗଲା ମୋ ଚୁଲିକି॥
ଫନିରେ ଉଜୁଡି ଗଲା ସୌନ୍ଦର୍ଯ୍ୟ କ୍ଷେତର
ଦିବା ସ୍ବପ୍ନ ପରି ଭାଙ୍ଗିଗଲା ଆଶା ମୋର
କରୋନା ପୁଣି ଭରିଦେଲା ମନରେ କଷ୍ଟ
ସବୁଜ ଫସଲ ସବୁ ହୋଇଗଲା ନଷ୍ଟ॥
ବଦଳି ଗଲେଣି କେତେ ନେତା ଅଫିସର
ହେଲେ ନ ହେଲା ଇତି ଦୁଃଖ କାହାଣୀ ମୋର
ମେରୁଦଣ୍ତ ନଇଁଲାଣି ସହି ଋଣ ଭାର
ଶୁଝି ନ ପାରି ହାରିବି ଶେଷେ ପ୍ରାଣ ମୋର॥
ସବୁଦିନ ଥାଏ କର୍ମେ ବ୍ୟସ୍ତ ନାହିଁ ଅବସର
ଆଶା ନାହିଁ ମିଳୁ ବୋଲି ମତେ ପୁରସ୍କାର
କରିବି ସେବା ନିଃସ୍ବାର୍ଥପର ଭାବନାରେ
ଆହୂତି ଦେଇ ପ୍ରାଣକୁ ଜୀବନ ଯଜ୍ଞରେ॥
ଆନ ଆକାକ୍ଷାଂରେ କାହିଁ କରିବି ମୁଁ ଦୁଃଖ
ଧରିତ୍ରୀ କୋଳେ ପାଏ ଅମରାବତୀ ସୁଖ
ମୋ ଦେହରେ ଭରିଛି ମାଟି ମା’ର ମହକ
ସେଥିପାଇଁ ଗରବେ କହେ ମୁଁ ବି କୃଷକ॥
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର
ଗୋପିନାଥପୁର,ପୁରୀ
Readers Interaction