ମୁଣ୍ଡର ଝାଳକୁ ତୁଣ୍ଡରେ ମାରିଣ
କୃଷକ କରଇ ଚାଷ
ଖରା ବର୍ଷା ଶୀତ ଖାତିରି ନକରି
ଫୁଟାଏ ମନରେ ହସ ।
ଆଡମ୍ବର ଶୂନ୍ୟ ଜୀବନ ଯାପନ
ପଖାଳ କଂସାରେ ମନ
ରହିବା ପାଇଁକି ନାହିଁ ପକ୍କାଘର
କୁଡିଆ ରେ କଟେ ଦିନ ।
ଲଙ୍ଗଳ ବଳଦ ତା’ର ସହଚର
ଧରିଣ ବିଳକୁ ଯାଏ
ଜମି ଚାଷ କରି କାଦୁଅ ଚକଟି
ଶସ୍ୟ ବୁଣଇ ସିଏ ।
କେତେ ଖତ ସାର ପୁଣି ଅଉଷଧ
ଦିଅଇ ତା’ର ଫସଲେ
ସକାଳଠୁ ସଞ୍ଜ ପରିଶ୍ରମ କରି
ଫସଲ ଅମଳ କରେ ।
ଶସ୍ୟ ଶ୍ୟାମଳା ସୁଜଳା ସୁଫଳା
କ୍ଷେତକୁ ଦେଖିଣ ସିଏ
ମନରେ ତାହାରି ଅସୁମାରୀ ସ୍ବପ୍ନ
ଭାଵନରେ ମଜ୍ଜିଯାଏ ।
ଅଦିନିଆ ମେଘ ବରଷା ବତାସି
ଜଳାଭାବ ଜଳମଗ୍ନ
ଚକଡା ସାଙ୍ଗକୁ କରକାର ମାଡ଼
କରେ ତାକୁ ଚେତାଶୂନ୍ୟ ।
କୃଷକ ଭାଇଙ୍କ ପ୍ରୋତ୍ସାହନ ପାଇଁ
ଚାଳିଛି କେତେ ଯୋଜନା
ସତପାତ୍ରେ ଦାନ ହେଉନାହିଁ ବୋଲି
ମିଳୁନି ତାକୁ ପାଉଣା ।
ପେଟେ ଓଦା କନା ଦେଇ ଚଷାଭାଇ
ଯୋଗାଏ ବିଶ୍ଵେ ଆହାର
ଋଣଭାର କଷ୍ଟ ଅସହ୍ୟ ହେବାରୁ
ଆତ୍ମହତ୍ୟା ତା’ର ସାର ।
ସୁଷମା ମଞ୍ଜରୀ ଦାଶ
ଭେଡେନ ବରଗଡ
Readers Interaction