ହେ ବୀର କୃଷକ….
ଆଉ କେତେ ତୁ ଖଟିବୁ
ପୁରାଇବା ପାଇଁ
ଏ ଅବିବେକୀ ମଣିଷ ମାନଙ୍କ ପେଟ।
ସେମାନେ ଦେବେନି
ତୋ ପରିଶ୍ରମର ମୂଳ…
ସେମାନେ ଦେଖିବେନି
ତୋ ସ୍ଵେଦ ଭିଜା ଲୁଗା ।
ସେମାନେ ପରା ଉଚ୍ଚ ଶିକ୍ଷିତ ସହରିଆ ପାଠୁଆ ।
ସେମାନେ ଭାବୁଛନ୍ତି,
ଏ ଘଡ୍ ଘଡ୍ ଶବ୍ଦ କରୁଥିବା ମେସିନ୍ ହିଁ
ଯୋଗାଉଛି ତାଙ୍କୁ
ଖାଦ୍ୟ ବସ୍ତ୍ର ଓ ବାସଗୃହ ।
ସେମାନେ ବୁଝିଛନ୍ତି ସବୁକିଛି କିଣି ହେବ
ହାତେ ଥିଲେ ସେହି ଗାନ୍ଧୀ ଫଟୋ ଲଗା
କାଗଜ ବିଡ଼ା ।
ତୋ ପରିଶ୍ରମକୁ ତୋଳୁଛନ୍ତି
ଟଙ୍କାର ତରାଜୁରେ…
ତୋ ନିରୀହତାକୁ ଦଳୁଛନ୍ତି
ଦାମିକିଆ ଜୋତା ଲଗା ପାଦରେ ।
ଆଉ କେତେ ତୁ ନିଜ ଦେହର ରକ୍ତକୁ
ପାଣି କରି ବୁହାଇବୁ…
ଆଉ କେତେ ରାତି ଅନିଦ୍ରା ରହି
ଜାଗ୍ରତ ପ୍ରହରୀ ସାଜିବୁ ।
ଏ ଟଙ୍କାର ମୁଖୋଟ ଲଗା ସାମାଜ ଆଗରେ
ତୁ ମୁଣ୍ଡ ଟେକି ହୋଇପାରିବୁନି ଠିଆ..
କୁଆଁରୀ ହେଇ ରହିଯିବ ତୋ ଅଲିଅଳି ଝିଅ
ନ ଦେଇ ପାରିଲେ ବାହା ।
ତୁ ଯେତେ କାନ୍ଥଫଟା ଚିତ୍କାର କଲେବି
ଶୁଣିବେନି କେହି
ସଭିଙ୍କ କର୍ଣ୍ଣରେ ଗର୍ବର ପରଦା…
ତୁ ସିନା ବେକରେ ଫାଶୀ ଲଗାଇ
କରିବୁ ଚାଷୀ ଆତ୍ମହତ୍ୟା
ହେଲେ ସେମାନେ ଦେଖି
ତୋ ମୃତ୍ୟୁର ନେଉ ଥିବେ ମଜା ।
ଯୋଗେଶ୍ୱର ଗହୀର
କେସିଙ୍ଗା
କଳାହାଣ୍ଡି
Readers Interaction